ଧଳା ଘୁଷୁରି ଚାଷ କରି ଚର୍ଚ୍ଚାରେ ମାହାଙ୍ଗା ଅଞ୍ଚଳର ମେକାନିକାଲ ଇଞ୍ଜିନିୟର। ଇଟାଲୀବନ୍ଧୁଙ୍କ ଠାରୁ ପ୍ରେରଣା ପାଇଁ ଆରମ୍ଭ କରିଛନ୍ତି ଧଳା ଘୁଷୁରି ଫାର୍ମ ।

535

କନକ ବ୍ୟୁରୋ: ଇଞ୍ଜିନିୟର ବାବୁଙ୍କ ଧଳା ଘୁଷୁରି ଚାଷ । ଘୁଷୁରି ଗୁଡ଼ିକୁ ଖାଇବାକୁ ଦେବା ଏବଂ ଗାଧୋଇ ଦେବା ଭଳି ସେ ସମସ୍ତ ଯତ୍ନ ନିଅନ୍ତି । ଦୁଇ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ଫାର୍ମରେ ପାଖାପାଖି ୧ ହଜାରରୁ ଉଦ୍ଧ୍ୱର୍ ଘୁଷୁରି ଅଛନ୍ତି । ଚାକିରି ଛାଡି ଚାଷ କାମକୁ ଆପଣାଇଛନ୍ତି କଟକ ମାହାଙ୍ଗା ଥାନା ଅଞ୍ଚଳର ଯୁବଚାଷୀ ପ୍ରବୀର କୁମାର ମହାପାତ୍ର । ଆଉ ଏଥିରେ ସଫଳତା ପାଇ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ପ୍ରେରଣା । ପ୍ରବୀର ମେକାନିକାଲ ଇଞ୍ଜିନିୟର ଭାବେ ଏକ ଆମେରିକୀୟ କମ୍ପାନୀରେ ଭଲ ଦରମାରେ ଚାକିରି କରୁଥିଲେ । କିନ୍ତୁ ନିଜସ୍ୱ ଉଦ୍ୟମରେ ରୋଜଗାର କରିବାର ଇଛା ତାଙ୍କୁ ଆଜି ଏହି ସ୍ଥାନରେ ପହଞ୍ଚାଇଛି । ନୂଆ ନୂଆ ଚାଷ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାକୁ ଆସିଛନ୍ତି ପ୍ରବୀର ।

୧୫ ବର୍ଷ ଚାକିରି କାଳ ଭିତରେ ପାଖାପାଖି ୨୬ଟି ଦେଶ ବୁଲିଛନ୍ତି ପ୍ରବୀର । ହେଲେ ନିଜ ଜନ୍ମମାଟି ପ୍ରତି ଥିବା ଭଲ ପାଇବା ପାଇଁ ନିଜସ୍ୱ ଉଦ୍ୟମରେ ଆତ୍ମନିର୍ଭର ହେବାର ଇଛା ତାଙ୍କୁ ଗାଁ ମାଟିକୁ ଫେରାଇ ଆଣିଥିଲା । ଚାକିରି ସମୟରେ ତାଙ୍କର ଜଣେ ଇଟାଲି ବନ୍ଧୁଙ୍କ ଠାରୁ ସେ ଧଳା ଘୁଷୁରି ଚାଷ ବିଷୟରେ ପ୍ରେରଣା ପାଇଥିଲେ । ଗାଁକୁ ଫେରିଲେ ଘୁଷୁରି ଚାଷ କରିବେ ବୋଲି ମନସ୍ତ କରିଥିଲେ । ଆଉ ଏବେ ଏହି ଫାର୍ମ ତାଙ୍କୁ ଭଲ ଲାଭ ଦେଉଛି । ପ୍ରଥମେ ଉତ୍ତର ପ୍ରଦେଶ ଓ ଓଡ଼ିଶାରୁ ବିଭିନ୍ନ ପ୍ରଜାତିର ଘୁଷୁରି ଆଣି ଫାର୍ମ ଆରମ୍ଭ କରିଥିଲେ । ୨ବର୍ଷ ଭିତରେ ୪ରୁ ୫ଥର ଘୁଷୁରି ବିକ୍ରି କଲେଣି । ଓଡ଼଼ିଶା ଓ ଆସାମର କିଛି ବ୍ୟବସାୟୀ ତାଙ୍କ ଠାରୁ ଘୁଷୁରି କିଣି ନେଉଥିବା ବେଳେ ବିକ୍ରିବଟାରେ କିଛି ଅସୁବିଧା ହେଉନାହିଁ । ଚାକିରି ଅପେକ୍ଷା ଏହି ଚାଷରୁ ଭଲ ରୋଜଗାର ମିଳୁଥିବା ସେ କହିଛନ୍ତିା

ଗୋଟିଏ ଗୋଟିଏ ଘୁଷୁରିର ଓଜନ ପାଖାପଖି ସାଢ଼େ ୩ କୁଇଂଟାଲରୁ ଅଧିକ ଓଜନର ଅଛନ୍ତି । ଏକ କୁଇଂଟାଲକୁ ୧୩ ହଜାର ୫୦୦ ଟଙ୍କାରେ ବିକ୍ରି କରୁଛନ୍ତି ପ୍ରବୀର । ଏହା ସହ ଘୁଷୁରିର ମଳରୁ ବାୟୋ ଗ୍ୟାସ ଉତ୍ପନ୍ନ କରାଯାଉଛି । ଏଥିରୁ ସୃଷ୍ଟି ହେଉଥିବା ଖତକୁ ସାର ଭାବେ ବ୍ୟବହାର କରାଯାଉଛି । ଘୁଷୁରି ପାଳନ ସହ ବିଭିନ୍ନ ପ୍ରକାରର ଫଳ ଚାଷ କରିଛନ୍ତି ପ୍ରବୀର । ଅନ୍ୟପଟେ ୩୦୦୦ କ୍ଷମତା ବିଶିଷ୍ଟ ଏକ ବ୍ରଏଲର ଫାର୍ମ କରି ସେଥିରେ ସ୍ଥାନୀୟ ଅଞ୍ଚଳର ୩ ଜଣଙ୍କୁ ରୋଜଗାରକ୍ଷମ କରାଇଛନ୍ତି । ଜଣେ ସଫଳ ଚାଷୀ ଭାବେ ପ୍ରବୀରଙ୍କ ଏହି ଧଳା ଘୁଷୁରି ଚାଷ ଆଗାମୀ ଯୁବପିଢ଼ିଙ୍କ ପାଇଁ ରୋଜଗାରର ନୂଆ ରାସ୍ତା ଦେଖାଇଛି ।