ମାଟ୍ରିକ ପରୀକ୍ଷାରେ ଅସଫଳତାରୁ ଆତ୍ମହତ୍ୟା: ପରୀକ୍ଷାରେ ଫେଲ ହେବାରୁ ଗଞ୍ଜାମ ହିଞ୍ଜିଳିରେ କୀଟନାଶକ ପିଇ ଜୀବନ ହାରିଲେ ଛାତ୍ରୀ

23

କନକ ବ୍ୟୁରୋ: ଗତକାଲି ମାଟ୍ରିକ୍ ରେଜଲ୍ଟ ପ୍ରକାଶ ପାଇବା ପରେ ପରୀକ୍ଷାରେ ଫେଲ୍ ହେବାରୁ ଆତ୍ମହତ୍ୟା କରିଦେଇଛନ୍ତି ଜଣେ ଛାତ୍ରୀ । ଗଂଜାମ ଜିଲ୍ଲା ନରେନ୍ଦ୍ରପୁରର ଏହି ଛାତ୍ରୀ, ଆଜି କୀଟନାଶକ ପିଇ ଆତ୍ମହତ୍ୟା କରିଛନ୍ତି ବୋଲି ପରିବାର ଲୋକେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି । ଗତକାଲି ମାଟ୍ରିକ୍ ରେଜଲ୍ଟ ବାହାରିଥିବା ବେଳେ ଛାତ୍ରୀ ଜଣକ, ୧୧୪ ନମ୍ବର ରଖି ଫେଲ୍ ହୋଇଯାଇଥିଲେ । ଏହାକୁ ନେଇ ଘରେ ତାଙ୍କୁ ଗାଳିଗୁଲଜ କରିବା ପରେ ଆଜି ସକାଳେ ସେ ବିଷ ପିଇଦେଇଥିଲେ । କିଛି ସମୟ ପରେ ପରିବାର ଲୋକେ ତାଙ୍କୁ ବାନ୍ତି କରୁଥିବାର ଦେଖି ବ୍ରହ୍ମପୁର ମେଡିକାଲ୍ ଆଣିଥିଲେ । କିନ୍ତୁ ସେତେବେଳକୁ ବିଳମ୍ବ ହୋଇଯାଇଥିଲା ଓ ଛାତ୍ରୀ ଜଣକର ମୃତ୍ୟୁ ହୋଇସାରିଥିଲା ।

ସେପଟେ, ମାଟ୍ରିକ୍ ପରୀକ୍ଷାରେ ଆଶାନୁରୁପ ଫଳ ନମିଳିବାରୁ ଗତକାଲି ଜଣେ ଛାତ୍ର ଆତ୍ମହତ୍ୟା କରିଥିଲେ । ଯାଜପୁର ଜିଲ୍ଲାର ବରୀ ରତଳାଙ୍ଗ ରତ୍ନେଶ୍ୱର ବିଦ୍ୟାପୀଠର ଛାତ୍ର ପଦ୍ମଲୋଚନ ମଲ୍ଲିକ ଗତକାଲି ଘରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଥିଲା । ତେବେ ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିବା ଜଣାପଡିଛି । ମାଟ୍ରିକ ପରିକ୍ଷା ପଂଳ ବାହାରିଥିବା ବେଳେ ଆଶାନୁରୁପ ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଲିପୁର ଡାକ୍ତରଖାନା ଓ ପରେ ଯାଜପୁର ଟାଉନ ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।