ବାଂଲାଦେଶର ଜୁସ୍ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ । ୪୦ ମୃତ ୩୦ ଗୁରୁତର

70

କନକ ବ୍ୟୁରୋ : ବାଂଲାଦେଶ ରାଜଧାନୀ ଢାକା ଅଞ୍ଚଳରେ ଏକ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯିବା କାରଣରୁ ୪୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୦ ଜଣ ଗୁରୁତର ହୋଇଛନ୍ତି । ଶୁକ୍ରବାର ଦିନ ଏଭଳି ଖବର ମିଳିଛି । ଖବର ମୁତାବକ ଗୁରୁବାର ଦିନ ସନ୍ଧ୍ୟାରେ ନାରାୟଣଗଂଜ ନିକଟରେ ଥିବା ଶୋଜାନ ଜୁସ୍ ଫ୍ୟାକ୍ଟ୍ରିରେ ନିଆଁ ଲାଗିଯାଇଥିଲ।। ଦମକଳ ବାହିନୀର ସୂଚନା ମୁତାବକ ଫ୍ୟାକ୍ଟ୍ରିର ତଳ ତାଲାରେ ନିଆଁ ଲାଗିଥିଲା । ଫ୍ୟାକ୍ଟ୍ରି ଭିତରେ ପ୍ଲାଷ୍ଟିକ ବୋତଲ ଓ ରାସାୟନିକ ସମାଗ୍ରୀ ଥିବାରୁ ନିଆଁ ଖୁବଶୀଘ୍ର ପୁରା ଫ୍ୟାକ୍ଟ୍ରିକୁ ଘେରି ଯାଇଥିଲା ।

ଜାତୀୟ ଗଣମାଧ୍ୟମ ଏଏନଆଇର ସୂଚନା ମୁତାବକ ଏହି ଅଗ୍ନିକାଣ୍ଡରେ ୪୦ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୩୦ ରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । କୁହାଯାଇଛି କି ଭୀଷଣ ନିଆଁର ବଞ୍ଚିବା ପାଇଁ କିଛି ଶ୍ରମିକ ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ହୋସେନ ଫୁଡସ ଲିମିଟେଡ କମ୍ପାନୀରୁ ନିଆଁ ଲିଭାଇବାକୁ ୧୮ ଟି ଦମକଳ ଲାଗିଛି । ଅନ୍ୟପଟେ ଫ୍ୟାକ୍ଟ୍ରିରେ କାମ କରୁଥିବା ଲୋକଙ୍କ ସନ୍ଧାନ ନେବାକୁ ପରିଜନମାନେ ଫ୍ୟାକ୍ଟ୍ରି ନିକଟରେ ଭିଡ ଜମାଇଛନ୍ତି । ଏହାସହ ଉଦ୍ଧାର ହୋଇଥିବା ମୃତକଙ୍କ ମଧ୍ୟରୁ କିଛି ଲୋକଙ୍କର ପରିଚୟ ମିଳିଥିବା ବେଳେ ଅନେକ ମୃତଦେହର ପରିଚୟ ମିଳିପାରି ନାହିଁ ।

ସେପଟେ ମୃତକ ଓ ଗୁରୁତର ଲୋକଙ୍କ ସଂପର୍କୀୟ ମାନେ ଅଭିଯୋଗ କରିଛନ୍ତି କି ଫ୍ୟାକ୍ଟ୍ରିରେ ନିଆଁ ଲାଗିଥିବା ବେଳେ ବାହାରକୁ ବାହାରିବାକୁ ଥିବା ଗୋଟିଏ ଦ୍ୱାର ବନ୍ଦ ରହିଥିଲା । ଏହାସହ ଫ୍ୟାକ୍ଟ୍ରିରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ନଥିବା କଥା କର୍ମଚାରୀଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏହାସହ ଏହି ଘଟଣାର ଯାଂଚ କରିବାକୁ ଜିଲ୍ଲା ପ୍ରଶାସନ ତରଫରୁ ଏକ ଯାଂଚ ସମିତି ଗଠନ କରାଯାଇଛି ।