ଆମ୍ବ ବରକୁ ତେନ୍ତୁଳି କନିଆ । କାହିଁକି ଉତ୍ତରପ୍ରଦେଶରେ ଏମିତି ହେଲା ବାହାଘର?

131

କନକ ବ୍ୟୁରୋ : ବାଜା ବାଜୁଥିଲା, ବାଣ ଫୁଟୁଥିଲା । ଭୋଜିଭାତର ଆସର ଜମିଥିଲା । ବାହାଘରରେ ଏମିତି ଉତ୍ସବ ପାଳନ କିଛି ନୂଆ କଥା ନୁହେଁ । କିନ୍ତୁ ବାହାଘର କାହାର ହେଉଥିଲା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଉତ୍ତରପ୍ରଦେଶର ସୀତାପୁରରୁ ଏମିତି ଏକ ନିଆରା ବାହାଘର ସାମ୍ନାକୁ ଆସିଛି ଯାହା ବାବଦରେ ଆପଣ ପୂର୍ବରୁ କେବେ ଶୁଣିନଥିବେ । କାରଣ ଏହି ସ୍ୱତନ୍ତ୍ର ବାହାଘରରେ ଫଳର ରାଜା ଆମ୍ବକୁ ବର ଭାବେ ସଜା ଯାଇଥିବା ବେଳେ ତେନ୍ତୁଳିକୁ କନ୍ୟା ରୂପରେ ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ ସବୁ ବାହାଘର ଭଳି ଏହି ସ୍ୱତନ୍ତ୍ର ବାହାଘରରେ କାର୍ଡ ଛପାଯିବା ସହ ଲୋକଙ୍କୁ ଏଥିରେ ସାମିଲ ହେବାକୁ ନିମନ୍ତ୍ରଣ ଦିଆଯାଇଥିଲା ।

ଝାପ୍ସା ହଳଦିଆ ରଙ୍ଗର ବାହାଘର କାର୍ଡରେ ସ୍ପଷ୍ଟ ଭାବେ ବର ଓ କନ୍ୟାଙ୍କ ନାଁ ଲେଖାଯିବା ସହ କେବେ ବାହାଘର ହୋଇଛି ତାହା ଉଲ୍ଲେଖ ରହିଛି । କାର୍ଡରେ ବର ଭାବେ ଆମ୍ବକୁ ଫଳର ରାଜା ବୋଲି କୁହାଯାଉଥିବା ବେଳେ କନ୍ୟା ଭାବେ ତେନ୍ତୁଳିକୁ ଚୁଲବୁଲି ଝିଅ ବୋଲି ଉଲ୍ଲେଖ ରହିଛି । ଗତ ରବିବାର ଏହି ସ୍ୱତନ୍ତ୍ର ବିବାହ ସମ୍ପନ୍ନ ହୋଇଥିବା ବେଳେ ପ୍ରାୟ ୪୦୦ରୁ ଅଧିକ ଅତିଥି ଶଗଡଗାଡିରେ ଆସି ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାଛଡା ୫୦ ଜଣ ନବ-ବିବାହିତ ଦମ୍ପତି ମଧ୍ୟ ଏହି ସମାରୋହରେ ସାମିଲ ହୋଇଥିଲେ । ଆମ୍ବ ଓ ତେନ୍ତୁଳିର ବିବାହ ବେଶ ଧୂମଧାମରେ ହୋଇଥିବା ବେଳେ ମଣ୍ଡପକୁ ଅତି ଆକର୍ଷଣୀୟ ଢଙ୍ଗରେ ସଜା ଯାଇଥିଲା ।

ବିବାହ ପରେ ସମାରୋହ ସ୍ଥଳରେ ଆମ୍ବ ଓ ତେନ୍ତୁଳି ଗଛ ଲଗାଯାଇଥିଲା । ଏପରିକି ଝିଅକୁ ଯେମିତି ବିଦା କରାଯାଏ ଠିକ୍ ସେହିଭଳି ତେନ୍ତୁଳିକୁ ମଧ୍ୟ ବିଦା କରାଗଲା । ତେବେ ସ୍ଥାନୀୟ ଅଧିକାରୀଙ୍କ କହିବା ଅନୁଯାୟୀ, ଗତ କିଛିବର୍ଷ ହେବ ଏଭଳି ବିବାହ ପାଇଁ ଯୋଜନା କରାଯାଉଥିଲା । ଏଭଳି ବିବାହ ଆୟୋଜନ ଦ୍ୱାରା କଥିନା ନଦୀର ପୁନରୁଦ୍ଧାର କାର୍ଯ୍ୟରେ ଆହୁରି ସହାୟତା ମିଳିପାରିବ । ଏବେ ଏହି ନଦୀ କୂଳରେ ବିଭିନ୍ନ ଫଳର ଗଛ ଲଗାଇବାକୁ ଯୋଜନା ରହିଛି । ଯାହାଦ୍ୱାରା ପୁଣିଥରେ କଥିନା ନଦୀ ଚିରସ୍ରୋତା ହୋଇପାରିବ ।