ନା ଅଛି ଟଙ୍କାର ଲୋଭ ନା ବିଜ୍ଞାପନ ଚିନ୍ତା ! ଦୀର୍ଘ ୧୭ ବର୍ଷ ହେଲା ନିଜ ହାତରେ ଲେଖୁଛନ୍ତି ଖବରକାଗଜ ।

53

ଦେଶ ବିଦେଶରେ ଯେକୌଣସି ଘଟଣା ଘଟିଥାଏ, ସେ ସବୁର ସୂଚନା ଆମେ ଗଣମାଧ୍ୟମ ଦ୍ୱାରା ହିଁ ପାଇଥାଉ । ସୂଚନାର ଆଦାନପ୍ରଦାନ କରିବାରେ ଗଣମାଧ୍ୟମ ହିଁ ସର୍ବଦା ଶକ୍ତିଶାଳୀ ମାଧ୍ୟମ ରହିଛି । ଗଣମାଧ୍ୟମ ଜନସାଧାରଣ ମାନଙ୍କର ଚିନ୍ତାଧାରାକୁ ପ୍ରଭାବିତ କରିଥାଏ । ଗଣମାଧ୍ୟମ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ଯ୍ୟ କରିଥାଏ । କିନ୍ତୁ ଆଜିର ସମୟରେ ଗଣମାଧ୍ୟମ କେବଳ ସୂଚନାର ଆଦାନ ପ୍ରଦାନ କରୁନାହିଁ ଏହା ସହ ଗଣମାଧ୍ୟମ ଏକ କର୍ପୋରେଟ କଲଚର ରୂପ ନେଇସାରିଲାଣି । ଟିଆରପି ଠାରୁ ଆରମ୍ଭ କରି ଭ୍ୟୁୟର୍ସ, ପେଜ ଭ୍ୟୁ ଭଳି ଅନେକ ଶବ୍ଦ ଏବେ ଏହି କ୍ଷେତ୍ରରେ ଅଧିକ ମହତ୍ତ୍ୱ ରଖୁଛି ।

ଏଭଳି ଏକ ଡିଜିଟାଲ ସମାଜରେ ଏମିତି ବି ଜଣେ ମଣିଷ ଅଛନ୍ତି ଯିଏକି ନିଜ ହାତରେ ପୁରା ଖବରକାଗଜ ଲେଖୁଛନ୍ତି । ୫୩ ବର୍ଷୀୟ ଦିନେଶ ଖବରକାଗଜ ଦୁନିଆରେ ନିଜର ଏକ ଅଲଗା ପରିଚୟ ସୃଷ୍ଟି କରିଛନ୍ତି । ଦୀର୍ଘ ୧୭ ବର୍ଷ ଧରି ‘ବିଜୟ ଦର୍ଶନ’ ନାମରେ ସେ ଏକ ଖବରକାଗଜ ଚଳାଉଛନ୍ତି । ତେବେ ଏହି ଖବରକାଗଜର ବିଶେଷତ୍ତ୍ୱ ହେଉଛି, ପୁରା ଖବରକାଗଜଟିକୁ ଦିନେଶ ନିଜେ ନିଜ ହାତରେ ଲେଖିଥାନ୍ତି ।

ଖବରକାଗଜଟିକୁ ଲେଖି ସାରିବା ପରେ ସେ ଏହାକୁ ଜେରକ୍ସ କରିଥାନ୍ତି ଏବଂ ସାଇକେଲରେ ଘର ଘର ବୁଲି ନିଜ ଖବରକାଗଜକୁ ବିକ୍ରି କରିଥାନ୍ତି । ଖବରକାଗଜ ବିକ୍ରି କରିସାରିବା ପରେ ଦିନେଶ ଆଇସକ୍ରିମ ଏବଂ ଚୋକଲେଟ ମଧ୍ୟ ବିକ୍ରି କରିଥାନ୍ତି । ଦିନେଶ ଲ ପଢିବାକୁ ଚାହୁଁଥିଲେ କିନ୍ତୁ ଟଙ୍କା ଅଭାବରୁ ସେ ପଢିପାରିନଥିଲେ ।

ଦିନେଶ ଖବରକାଗଜ ଲେଖିବା ପାଇଁ କାହା ଠାରୁ କୌଣସି ପ୍ରକାର ସାହାଯ୍ୟ ନେଇନଥାନ୍ତି । ନିଜ ଦାୟିତ୍ୱରେ ସେ ଏହି ଖବରକାଗଜଟିକୁ ଚଳାଉଛନ୍ତି । ଦିନେଶଙ୍କ ଖବରକାଗଜରେ ନା ଥାଏ କୌଣସି ବିଜ୍ଞାପନ ନା ଥାଏ କୌଣସି ଫଟୋ । କିନ୍ତି ଗତ ୧୭ ବର୍ଷ ଧରି ତାଙ୍କ ଖବରକାଗଜରେ ଏମିତି କୌଣସି ଗୁରୁତ୍ୱପୂର୍ଣ୍ଣ ଖବର ନାହିଁ ଯାହାକି ପ୍ରକାଶିତ ହୋଇନାହିଁ ।