ଅଜଣା ହେଉ କି ଅସହାୟ... ବିପଦ ବେଳେ ସାହାଯ୍ୟର ହାତ ବଢାନ୍ତି, ଶେଷ ଯାତ୍ରାରେ ସାମିଲ ହୁଅନ୍ତି । କୋକେଇ ତିଆରି କରି ଲୋକଙ୍କ ହୃଦୟ ଜିଣୁଛନ୍ତି କୁନା ଭାଇ...

Advertisment
ଅଜଣା ହେଉ କି ଅସହାୟ... ବିପଦ ବେଳେ ସାହାଯ୍ୟର ହାତ ବଢାନ୍ତି, ଶେଷ ଯାତ୍ରାରେ ସାମିଲ ହୁଅନ୍ତି । କୋକେଇ ତିଆରି କରି ଲୋକଙ୍କ ହୃଦୟ ଜିଣୁଛନ୍ତି କୁନା ଭାଇ...

କନକ ବ୍ୟୁରୋ: ଏ କୋକେଇ କେଉଁ ନିଜ ଲୋକ ପାଇଁ ବନ୍ଧା ହେଉନି କି ନିଜ ସମ୍ପର୍କୀୟଙ୍କ ପାଇଁ ବାନ୍ଧୁ ନାହାନ୍ତି ଏ ବ୍ୟକ୍ତି । ପର ପାଇଁ. ନିରାଶ୍ରୟ ପାଇଁ, ଅସହାୟଙ୍କ ପରିଜନ ପାଇଁ ବନ୍ଧା ହେଉଛି । ଯେଉଁମାନଙ୍କ କେହି ନାହିଁ ତାଙ୍କର କୁନା ଭାଇ ଅଛନ୍ତି । କିଏ ଡାକୁ କି ନଡାକୁ, ବିପଦରେ ପଡିଥିବା ଲୋକଙ୍କ ପାଖରେ ଆପଣାଛାଏଁ ପହଞ୍ଚି ଯାଆନ୍ତି ସେ, ଆଉ ବିପଦ ବେଳର ସାହା ପାଲଟନ୍ତି ଶେଷଯାତ୍ରାର ସାଥୀ, ଶ୍ମଶାନର ସାଥୀ କୁନା ଭାଇ । ସେଇଥି ପାଇଁ ତ ଲୋକେ ତାଙ୍କୁ ଶବର ସାଥୀ ବୋଲି ବି କୁହନ୍ତି...

ବାରିପଦା ମଧୁବନ ଅଞ୍ଚଳର ୪୫ ବର୍ଷୀୟ ତାରାକାନ୍ତ ମହାନ୍ତି । କୁନା ଭାଇ ନାମରେ ସହରର ଗଳିକନ୍ଦିରେ ବେଶ ଜଣାଶୁଣା । ତାରାକାନ୍ତ କହିଲେ କିଏ ଜାଣୁ କି ନଜାଣୁ କୁନା ଭାଇଙ୍କୁ ସବୁ ଚିହ୍ନନ୍ତି । କାରଣ ସେ ହେଉଛନ୍ତି ମଶାଣୀ ମଣିଷ, ଶ୍ମଶାନର ସାଥୀ । କୋକେଇ ବାନ୍ଧିବା ହେବ କି କୋକେଇ ପାଇଁ ବାଉଁଶ କାଟିବା, ଶବକୁ କାନେ୍ଧଇ ନେଇ ଶ୍ମଶାନ ଯାଏଁ ଯାତ୍ରା କରନ୍ତି ସେ । ଅନ୍ତିମ ସଂସ୍କାରର ସବୁ ରୀତିନୀତି ସରିବା ଯାଏଁ ମଶାଣୀରେ ଲୋକଙ୍କ ସହ ରୁହନ୍ତି ।

ଯାହାର କେହି ନାହିଁ ତାର କୁନା ଭାଇ ଅଛି – ଏଇ ବିଶ୍ୱାସ, ଏଇ ଭରସା ଟିକକ ହିଁ କୁନାଙ୍କୁ ଲୋକଙ୍କ ପାଖକୁ ଟାଣି ନିଏ । ଆଉ ସେ ବିନା ପାରିଶ୍ରମିକରେ ଶବର ଶେଷ ସାଥୀ ପାଲଟନ୍ତି । ଏଯାଏଁ ୧୦୦୦ରୁ ଅଧିକ ଶବ ପାଇଁ କୋକେଇ ବାନ୍ଧିଲେଣି ତାରାକାନ୍ତ । ସେବା କରିବାର ମନବୃତି ରଖି କୁନା ଖଣ୍ଡମଣ୍ଡଳର ଲୋକଙ୍କ ସାହାଯ୍ୟ କରୁଥିବା ବେଳେ ଏ କାମ କରି ସେ ଆତ୍ମତୃପ୍ତି ପାଉଛନ୍ତି । ଯେଉଁଥିପାଇଁ ଲୋକେ ତାଙ୍କୁ ଭାରି ପ୍ରଶଂସା କରୁଛନ୍ତି ।

ଅତି ସରଳ, ବିନମ୍ର ବ୍ୟକ୍ତିତ୍ୱର ଅଧିକାରୀ କୁନା ବାହା ହୋଇନାହାନ୍ତି । ବାପାମାଆ ଆର ପାରିକୁ ଯିବା ପରେ ଏବେ ସେ ଏମିତି ଲୋକଙ୍କ ସେବାରେ ଜୀବନ ବିତାଇ ଦେଉଛନ୍ତି । ଖାଲି ଶବ ପାଇଁ କୋକେଇ ନୁହେଁ ବରଂ ବିପଦ ବେଳେ କୁନାଙ୍କ ଯିଏ ଡାକି ଦେଲେ ସେ ହାଜର ହୋଇଯାଆନ୍ତି । ଏମିତିକି ଗତ ଫାଇଲିନ ବାତ୍ୟାରେ ଯେତେବେଳେ ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ନିଜ ଜୀବନକୁ ବାଜିରେ ଲଗାଇ ଅନେକ ଲୋକଙ୍କୁ ବଞ୍ଚାଇଥିଲେ । ସତରେ ଏ ସଂକ୍ରମଣ ସମୟରେ ଯେତେବେଳେ ନିଜର ଲୋକ ବି ସମ୍ପର୍କୀୟଙ୍କ ଶବକୁ ଛୁଉଁନାହାନ୍ତି ସେହି ସମୟରେ କୁନା ଭାଇଙ୍କ ସେ ମହତ କାର୍ଯ୍ୟ ସମସ୍ତଙ୍କ ମନକୁ କିଣି ନେଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe