ଅଜଣା ହେଉ କି ଅସହାୟ… ବିପଦ ବେଳେ ସାହାଯ୍ୟର ହାତ ବଢାନ୍ତି, ଶେଷ ଯାତ୍ରାରେ ସାମିଲ ହୁଅନ୍ତି । କୋକେଇ ତିଆରି କରି ଲୋକଙ୍କ ହୃଦୟ ଜିଣୁଛନ୍ତି କୁନା ଭାଇ…
କନକ ବ୍ୟୁରୋ: ଏ କୋକେଇ କେଉଁ ନିଜ ଲୋକ ପାଇଁ ବନ୍ଧା ହେଉନି କି ନିଜ ସମ୍ପର୍କୀୟଙ୍କ ପାଇଁ ବାନ୍ଧୁ ନାହାନ୍ତି ଏ ବ୍ୟକ୍ତି । ପର ପାଇଁ. ନିରାଶ୍ରୟ ପାଇଁ, ଅସହାୟଙ୍କ ପରିଜନ ପାଇଁ ବନ୍ଧା ହେଉଛି । ଯେଉଁମାନଙ୍କ କେହି ନାହିଁ ତାଙ୍କର କୁନା ଭାଇ ଅଛନ୍ତି । କିଏ ଡାକୁ କି ନଡାକୁ, ବିପଦରେ ପଡିଥିବା ଲୋକଙ୍କ ପାଖରେ ଆପଣାଛାଏଁ ପହଞ୍ଚି ଯାଆନ୍ତି ସେ, ଆଉ ବିପଦ ବେଳର ସାହା ପାଲଟନ୍ତି ଶେଷଯାତ୍ରାର ସାଥୀ, ଶ୍ମଶାନର ସାଥୀ କୁନା ଭାଇ । ସେଇଥି ପାଇଁ ତ ଲୋକେ ତାଙ୍କୁ ଶବର ସାଥୀ ବୋଲି ବି କୁହନ୍ତି…
Kanak News is now on WhatsApp
Join and get latest news updates delivered to you via WhatsApp
ବାରିପଦା ମଧୁବନ ଅଞ୍ଚଳର ୪୫ ବର୍ଷୀୟ ତାରାକାନ୍ତ ମହାନ୍ତି । କୁନା ଭାଇ ନାମରେ ସହରର ଗଳିକନ୍ଦିରେ ବେଶ ଜଣାଶୁଣା । ତାରାକାନ୍ତ କହିଲେ କିଏ ଜାଣୁ କି ନଜାଣୁ କୁନା ଭାଇଙ୍କୁ ସବୁ ଚିହ୍ନନ୍ତି । କାରଣ ସେ ହେଉଛନ୍ତି ମଶାଣୀ ମଣିଷ, ଶ୍ମଶାନର ସାଥୀ । କୋକେଇ ବାନ୍ଧିବା ହେବ କି କୋକେଇ ପାଇଁ ବାଉଁଶ କାଟିବା, ଶବକୁ କାନେ୍ଧଇ ନେଇ ଶ୍ମଶାନ ଯାଏଁ ଯାତ୍ରା କରନ୍ତି ସେ । ଅନ୍ତିମ ସଂସ୍କାରର ସବୁ ରୀତିନୀତି ସରିବା ଯାଏଁ ମଶାଣୀରେ ଲୋକଙ୍କ ସହ ରୁହନ୍ତି ।
ଯାହାର କେହି ନାହିଁ ତାର କୁନା ଭାଇ ଅଛି – ଏଇ ବିଶ୍ୱାସ, ଏଇ ଭରସା ଟିକକ ହିଁ କୁନାଙ୍କୁ ଲୋକଙ୍କ ପାଖକୁ ଟାଣି ନିଏ । ଆଉ ସେ ବିନା ପାରିଶ୍ରମିକରେ ଶବର ଶେଷ ସାଥୀ ପାଲଟନ୍ତି । ଏଯାଏଁ ୧୦୦୦ରୁ ଅଧିକ ଶବ ପାଇଁ କୋକେଇ ବାନ୍ଧିଲେଣି ତାରାକାନ୍ତ । ସେବା କରିବାର ମନବୃତି ରଖି କୁନା ଖଣ୍ଡମଣ୍ଡଳର ଲୋକଙ୍କ ସାହାଯ୍ୟ କରୁଥିବା ବେଳେ ଏ କାମ କରି ସେ ଆତ୍ମତୃପ୍ତି ପାଉଛନ୍ତି । ଯେଉଁଥିପାଇଁ ଲୋକେ ତାଙ୍କୁ ଭାରି ପ୍ରଶଂସା କରୁଛନ୍ତି ।
ଅତି ସରଳ, ବିନମ୍ର ବ୍ୟକ୍ତିତ୍ୱର ଅଧିକାରୀ କୁନା ବାହା ହୋଇନାହାନ୍ତି । ବାପାମାଆ ଆର ପାରିକୁ ଯିବା ପରେ ଏବେ ସେ ଏମିତି ଲୋକଙ୍କ ସେବାରେ ଜୀବନ ବିତାଇ ଦେଉଛନ୍ତି । ଖାଲି ଶବ ପାଇଁ କୋକେଇ ନୁହେଁ ବରଂ ବିପଦ ବେଳେ କୁନାଙ୍କ ଯିଏ ଡାକି ଦେଲେ ସେ ହାଜର ହୋଇଯାଆନ୍ତି । ଏମିତିକି ଗତ ଫାଇଲିନ ବାତ୍ୟାରେ ଯେତେବେଳେ ବାରିପଦାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ସେତେବେଳେ ନିଜ ଜୀବନକୁ ବାଜିରେ ଲଗାଇ ଅନେକ ଲୋକଙ୍କୁ ବଞ୍ଚାଇଥିଲେ । ସତରେ ଏ ସଂକ୍ରମଣ ସମୟରେ ଯେତେବେଳେ ନିଜର ଲୋକ ବି ସମ୍ପର୍କୀୟଙ୍କ ଶବକୁ ଛୁଉଁନାହାନ୍ତି ସେହି ସମୟରେ କୁନା ଭାଇଙ୍କ ସେ ମହତ କାର୍ଯ୍ୟ ସମସ୍ତଙ୍କ ମନକୁ କିଣି ନେଇଛି ।