ଅଭାବ ଦେଖାଇଲା ଆତ୍ମହତ୍ୟାର ବାଟ । ଲକଡାଉନ୍ ଯୋଗୁଁ ବନ୍ଦ ରହିଲା ପାନ ଦୋକାନ । ଦାରିଦ୍ର୍ୟତା ଭିତରେ ଆତ୍ମହତ୍ୟା କଲେ ବଲାଙ୍ଗୀର ପାନ ଦୋକାନୀ ।

726

କନକ ବ୍ୟୁରୋ:  ପେଟ ପାଟଣା ବୋଝ ଉପରେ କର୍କଟ ରୋଗ । ତାଲାବନ୍ଦ ଯୋଗୁଁ ପାନ ଦୋକାନ୍ ବନ୍ଦ । କ’ଣ କରିବେ ଆଉ ବାଟ ଦେଖାଗଲାନି । ଶେଷରେ ଏଭଳି ଏକ ଭୁଲ ନିଷ୍ପତି ନେଇଗଲେ ବଲାଙ୍ଗୀର ଜଣେ ପାନ ଦୋକାନୀ, ଯେଉଁଠୁ ଆଉ କେବେ କେହି ଫେରି ନାହାଁନ୍ତି । ଦାରିଦ୍ର୍ୟର ତାଡ଼ନାରେ ଦୁଇ ଦୁଇଟି ପିଲାକୁ ଏବଂ ସ୍ତ୍ରୀକୁ ଅସହାୟ କରି ଆତ୍ମହତ୍ୟା କରିଦେଲେ ବଲାଙ୍ଗୀର ପାନ ଦୋକାନୀ ପ୍ୟାରିଲାଲ୍ ସାହୁ ।

ଜୀବନ ନେଇଗଲା ଦାରିଦ୍ର୍ୟ? ଅସହାୟ ମଣିଷର ଆତ୍ମହତ୍ୟା । ଜୀବନ ନୁହେଁ ମୃତ୍ୟୁକୁ ବାଛିଲେ! ବନ୍ଦ ଥିବା ପାନ ଦୋକାନ ହୁଏତ, ଆଉ କେବେ ଖୋଲିବ ନାହିଁ । କାରଣ, ଛୋଟିଆ ଦୋକାନଟିଏ କରି ପାରିବାର ପୋଷୁଥିବା ପ୍ୟାରିଲାଲ୍ ସାହୁ, ଜୀବନ ଯୁଦ୍ଧରେ ଆତ୍ମସମର୍ପଣ କରିଦେଇଛନ୍ତି । ହୁଏତ, ଜୀବନ ଯୁଦ୍ଧରେ ଲଢ଼ି ଲଢ଼ି ଅସହାୟ ହୋଇଯିବା ପରେ ଆତ୍ମହତ୍ୟାର ବାଟ ଛାଡ଼ି ନେଇଛନ୍ତି ।

ପ୍ୟାରିଲାଲ୍, ତାଙ୍କ ଘର ନିକଟରେ ଥିବା ଟ୍ରାନ୍ସଫର୍ମର ଉପରକୁ ଚଢ଼ି, ଜାଣିଶୁଣି ଆତ୍ମହତ୍ୟା କରିବା ଉଦ୍ଦେଶ୍ୟରେ ବିଜୁଳି ସଂସ୍ପର୍ଶରେ ଆସିଥିଲେ । ଆଉ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ବହୁ କଷ୍ଟରେ ପରିବାର ଚଳାଉଥିବା ପ୍ୟାରିଲାଲଙ୍କ ପାଇଁ ପ୍ରଥମେ କର୍କଟ ଓ ପରେ ତାଲାବନ୍ଦ ଯେମିତି ଦାଉ ସାଧିିଥିଲା ।

ସବୁ କିଛି ଠିକଠାକ୍ ଚାଲିଥିଲା । ହେଲେ ଅଚାନକ୍ ଅସୁସ୍ଥ ହୋଇଗଲେ ପ୍ୟାରିଲାଲ୍ । ପରୀକ୍ଷା ପରେ ଜଣାପଡ଼ିଲା, ତାଙ୍କର କ୍ୟାନ୍ସର ଅଛି । ଯେମିତି ବୋଝ ଉପରେ ଦୁଃଖର ପାହାଡ଼ ଲଦି ହୋଇଗଲା ।ଆଉ ଏହାରି ଭିତରେ କରୋନା ଯୋଗୁଁ ଲାକ୍ଡାଉନ୍, ଦୋକାନ୍ ବି ଖୋଲିବା ସଂଭବ ହେଲାନି । ଶେଷରେ ଏଭଳି ଏକ ନିଷ୍ପତି ନେଇଗଲେ, ଯାହା  ପରିବାର ଲୋକଙ୍କ ସମସ୍ୟା ଆହୁରୀ ବଢ଼ିଗଲା । ପ୍ୟାରିଲାଲ୍ ସିନା ଚାଲିଗଲେ, ହେଲେ ଦୁଇଟି ସନ୍ତାନକୁ କେମିତି ମଣିଷ କରିବେ ବିଧବା ସ୍ତ୍ରୀ?