ଶ୍ରମିକଙ୍କ ଭଗବାନଙ୍କ ନାଁରେ ଫାଷ୍ଟଫୁଡ୍ ଷ୍ଟଲ୍ । ସୋସିଆଲ୍ ମିଡିଆରେ ଦୋକାନକୁ ଦେଖି, ଖାଇବା ମାଗିଲେ ସୋନୁ ସୁଦ୍ ।

1,021

କନକ ବ୍ୟୁରୋ: ଇଏ ହେଉଛନ୍ତି ହାଇଦ୍ରାବାଦର ଅନିଲ କୁମାର । ହାଇଦ୍ରାବାଦର ବେଗୁମପେଟ ଠାରେ ଏକ ଫାଷ୍ଟଫୁଡ୍ ଷ୍ଟଲ୍ ଟିଏ କରିଛନ୍ତି । ପୂର୍ବରୁ ଏକ ଚାଇନିଜ୍ ନାଁରେ ନିଜ ଫାଷ୍ଟଫୁଡ୍ ଷ୍ଟଲର ନାମକରଣ କରିଥିଲେ ଅନିଲ । କିନ୍ତୁ ଏବେ ଶ୍ରମିକଙ୍କ ଭଗବାନ ସୋନୁ ସୁଦଙ୍କୁ ନିଜ ଆଦର୍ଶ ଭାବେ ଗ୍ରହଣ କରି ସୋନୁଙ୍କ ଫଟୋ ରଖି ସୋନୁଙ୍କ ନାଁରେ ନିଜ ଫାଷ୍ଟଫୁଡର ନାମକରଣ କରିଛନ୍ତି ଅନିଲ ।

ସୋନୁଙ୍କୁ ନେଇ ଅନିଲ କହିଛନ୍ତି, ମୁଁ ଭଗବାନଙ୍କୁ କେବେ ଦେଖିନି । କିନ୍ତୁ ସୋନୁଙ୍କ ଭିତରେ ମୋତେ ଭଗବାନଙ୍କ ରୂପ ଦେଖାଯାଇଛି । ସୋନୁ ସୁଦ ହିଁ ହେଉଛନ୍ତି ପ୍ରକୃତ ଭଗବାନ । ତେବେ ଅନିଲଙ୍କ ଫାଷ୍ଟଫୁଡ ଷ୍ଟଲ ବାବଦରେ ଜାଣିବା ପରେ ଟ୍ୱିଟ୍ କରି ତାଙ୍କ ଫାଷ୍ଟଫୁଡ ଷ୍ଟଲରେ ଏକ ଟ୍ରିଟ୍ ଦେବାକୁ ଅନିଲଙ୍କୁ କହିଛନ୍ତି ସୋନୁ ।

କେବଳ ଅନିଲ କାହିଁକି, ଦେଶର ଲକ୍ଷ ଲକ୍ଷ ଲୋକ, ସୋନୁ ସୁଦଙ୍କୁ ଭଗବାନ ବୋଲି ମାନିନେଇଛନ୍ତି । ଏପରିକି ଠାକୁରଙ୍କ ଆସ୍ଥାନରେ ସୋନୁଙ୍କ ଫଟୋ ରଖି ଏକ ପରିବାର ପୂଜା କରୁଥିବାର ଦୃଶ୍ୟ ମଧ୍ୟ କିଛିଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ ।

ସୋନୁ ସୁଦ୍… ଏହି ନାଁ ଏବେ କେବଳ ଭାରତରେ ନୁହେଁ, ପୂରା ବିଶ୍ୱରେ ପରିଚିତ ହୋଇଛି । ଏପରିକି ଜାତିସଂଘ ପକ୍ଷରୁ ସୋନୁଙ୍କୁ ଏକ ସ୍ୱତନ୍ତ୍ର ସମ୍ମାନରେ ସମ୍ମାନିତ ମଧ୍ୟ କରାଯାଇଛି । ଦେଶର କୋଣ ଅନୁକୋଣରୁ ଯିଏ ଯେଉଁଠୁ ବି ସାହାଯ୍ୟ ପାଇଁ ସୋନୁଙ୍କୁ ଅନୁରୋଧ କରିଛି, ଦେବଦୂତ ସାଜି ତୁରନ୍ତ ସାହାଯ୍ୟ କରିଛନ୍ତି ସୋନୁ । କେତେବେଳେ ସେ ଅସହାୟଙ୍କ ସାହାରା ସାଜଛନ୍ତି, କେତେବେଳେ ଦୁଃଖୀ ଦରିଦ୍ରଙ୍କ ଦେବଦୂତ ତ ଆଉ କେତେବେଳେ ଶ୍ରମିକଙ୍କ ପାଇଁ ସାକ୍ଷାତ ଭଗବାନ ସାଜିଛନ୍ତି ସୋନୁ ।