ଗୁଲଗୁଲାରେ ବିଷ ଦେଇ ୫ଟି କୁକୁରଙ୍କୁ ମାରିଦେଲା ମଣିଷ । କଟକରୁ ଆସିଲା ମଣିଷସମାଜର ମୁଣ୍ଡ ନୁଆଁଇଦେବା ଭଳି ଖବର ।

393

କନକ ବ୍ୟୁରୋ : କଟକ ଚୌଦାର ଶଙ୍କରପୁର ଅଞ୍ଚଳରୁ ଏକ ଏମିତି ଖବର ସାମ୍ନାକୁ ଆସିଛି ଯାହା ମଣିଷ ସମାଜର ମୁଣ୍ଡକୁ ତଳକୁ କରିଦେବ । ମଣିଷ ଏତେ ତଳକୁ ବି ଖସିଯାଇପାରେ, ତାହା ଏହି ଘଟଣା ମୁହଁ ଖୋଲି ବର୍ଣ୍ଣନା କରୁଛି । ଖାଇବାରେ ବିଶ୍ୱାସର ବିଷ ଦେଇ ୫ଟି କୁକରଙ୍କ ଜୀବନ ନେଇଯାଇଛି ମଣିଷ ।

ଅରକ୍ଷିତ ସାହୁ ନାମକ ଜଣେ ବ୍ୟକ୍ତି ଗୁଲୁଗୁଲାରେ ଦାନାଦାର ଦେଇ କୁକୁରଙ୍କୁ ମାରିଦେଇଛି । ମିଳିଥିବା ସୂଚନା ଅନୁଯାୟୀ, ଚୌଦାର ଶଙ୍କରପୁର ଅଞ୍ଚଳରେ ବୁଲା କୁକୁରଙ୍କ ସଂଖ୍ୟା ଅଧିକ । ତେବେ ବାରମ୍ବାର ଅରକ୍ଷିତଙ୍କ ଘରେ ଏହି ବୁଲା କୁକୁରମାନେ ପଶୁଥିଲେ ଏବଂ ତାଙ୍କ ବାରଣ୍ଡାରେ ଥିବା ଚୁଲିରେ ମଳତ୍ୟାଗ କରିବା ଯୋଗୁଁ ରାଗିଯାଇଥିଲେ ଅରକ୍ଷିତ । ଆଉ ଶେଷରେ ଖାଦ୍ୟରେ ବିଷ ମିଶାଇ ୫ଟି କୁକୁରଙ୍କ ଜୀବନ ନେଇଗଲେ ।

ବିଷମିଶା ଗୁଲୁଗୁଲା ଖାଇବା ପରେ ବାନ୍ତି କରି ଏହି କୁକୁର ଗୁଡିକ ଏବେ ମରିପଡିଛନ୍ତି । ତେବେ ଏହି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ କଡା ନିନ୍ଦା କରିବା ସହ ମଣିଷପଣିଆ ଉପରେ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ ଏଭଳି ଅମାନବୀୟ କାଣ୍ଡ ବିଷୟରେ ଜାଣିବା ପରେ ସ୍ଥାନୀୟ ଅଞ୍ଚଳର କିଛି ଯୁବକ, ଥାନାରେ ମଧ୍ୟ ଅଭିଯୋଗ କରିଛନ୍ତି ।