ନା ଅଛି ଘର ନା ହିଁ ଅଛି ଦୋକାନ…କିନ୍ତୁ ମନରେ ଭରିରହିଛି ଅଦମ୍ୟ ବିଶ୍ୱାସ..ପେଟପାଟଣା ପାଇଁ ପଶ୍ଚିମବଙ୍ଗରୁ ଓଡିଶା ଧାଇଁଆସିଛନ୍ତି ସହଦେବ

ଚା’ ବିକି ପ୍ରତିଦିନ ରୋଜଗାର କରୁଛନ୍ତି ୭ ଶହରୁ ୮ ଶହ ଟଙ୍କା

1,029

କନକ ବ୍ୟୁରୋ: ମୁଣ୍ଡ ଗୁଂଜିବାକୁ ନିଜର ଖଣ୍ଡେ ଘର ନାହିଁ କି ପେଟ ପୋଷିବା ପାଇଁ ଦୋକାନଟିଏ ବି ନାହିଁ ଏବଂ ପାଠ ବି ପଢି ନାହାନ୍ତି । ମନରେ କିନ୍ତୁ ରହିଛି ରୋଜଗାର କରିବାର ଅଦମ୍ୟ ଇଚ୍ଛା । ଆଉ ମନରେ ଏହି ଇଚ୍ଛାକୁ ବାନ୍ଧି ପଶ୍ଚିମବଙ୍ଗରୁ ଓଡିଶା ଧାଇଁଆସିଛନ୍ତି ସହଦେବ ମଣ୍ଡଳ ।

କାମାକ୍ଷାନଗର ଅଂଚଳରେ ବୁଲି ବୁଲି ଏବେ ଚା’ ବେପାର କରୁଛନ୍ତି ସହଦେବ । ତାଙ୍କଠାରୁ ଯିଏ ଥରେ ଚା’ ପିଇଛି ସେ ରାତି ପାହିଲେ ମନେ ପକାନ୍ତି ସହଦେବଙ୍କୁ । କେତେବେଳେ କେଉଁଠି କାହାର ଚା’ ଦରକାର ସେଠାରେ ସେ ପହଂଚି ଚା’ ଦେଇଥାନ୍ତି । ସରକାରୀ କାର୍ଯ୍ୟାଳୟ ହେଉ କିମ୍ବା ବ୍ୟବସାୟୀ ଅନୁଷ୍ଠାନ ସବୁଠି ସହଦେବଙ୍କ ଚା’ର ଆଦର ରହିଛି । ତାଙ୍କ ବ୍ୟବସାୟ ସରଂଜାମ କହିଲେ ଦୁଇଟି ବାଲ୍ଟି, ଗୋଟିଏ ଚା’ କେଟିଲ୍ ଓ ଗୋଟିଏ ଷ୍ଟୋଭ୍ । ଭୋରରୁ ଉଠି ଲେମନ ଚା’ ତିଆରି କରି ବାଲ୍ଟିରେ ଥିବା ଷ୍ଟୋଭ୍ ଉପରେ କେଟିଲ ଧରି ଚା’ ବିକ୍ରି କରିବାକୁ ବାହାରିପଡନ୍ତି ସହଦେବ ।

ସକାଳୁ ରାତି ୮ଟା ଯାଏଁ ସହରରେ ବୁଲି ସହଦେବ ପ୍ରାୟ ୭ ଶହରୁ ୮ ଶହ ଟଙ୍କା ବେପାର କରିଦିଅନ୍ତି । ଯାହା ଲାଭ ହୁଏ ତାକୁ ସଂଚୟ କରି ପ୍ରତି ୨ମାସରେ ଥରେ ଘରକୁ ଯାଆନ୍ତି ସହଦେବ । ତେବେ ସହଦେବଙ୍କ ଘର ପଶ୍ଚିମବଙ୍ଗର ମୁର୍ଶିବାଦ ଅଂଚଳରେ । ପ୍ରାୟ ୫ ବର୍ଷ ହେଲା ସେ କାମାକ୍ଷାନଗର ଅଂଚଳରେ ଏହି ଚା’ ବେପାର କରିଆସୁଛନ୍ତି । ଆରମ୍ଭରୁ ଅଦ୍ୟାବଧି ଚା’ କପର ମୂଲ୍ୟ ୫ଟଙ୍କା ରଖିଛନ୍ତି । ସେ ପାଠପଢି ନାହାନ୍ତି । ତେଣୁ ପେଟ ପୋଷିବା ଆଶାରେ ଏହି ବ୍ୟବସାୟକୁ ଆଦରି ନେଇଛନ୍ତି । ସେ ଓଡିଶା ଆସି ପ୍ରଥମେ କେନ୍ଦ୍ରାପଡାର ରାଜନଗରରେ ବ୍ୟବସାୟ ଆରମ୍ଭ କରିଥିବା ବେଳେ ଏବେ କାମାକ୍ଷାନଗରରେ ବ୍ୟବସାୟ ଜାରି ରଖିଛନ୍ତି । ଘରେ ତାଙ୍କର ବାପା, ମା, ସ୍ତ୍ରୀ ଓ ଗୋଟଏ ପୁଅ ଅଛନ୍ତି ।