ଚର୍ଚ୍ଚାରେ ସୁନ୍ଦରଗଡର ରୂପକ୍ ପଟେଲଙ୍କ ବ୍ୟାଟେରୀ ସାଇକେଲ । ଅଳ୍ପ ଟଙ୍କା ଖର୍ଚ୍ଚ କରି ତିଆରି କଲେ ସ୍ୱତନ୍ତ୍ର ସାଇକେଲ, ମାତ୍ର ୧ଘଂଟା ଚାର୍ଜକଲେ ଚାଲୁଛି ୨୦ କିମିବାଟ

1,217

ଇଚ୍ଛା ଶକ୍ତି ଦେଖାଇଲେ, ବ୍ୟାଟେରୀ ସାଇକେଲ ନିର୍ମାଣ କଲେ । ଏ ହେଉଛନ୍ତି ସୁନ୍ଦରଗଡ ଜିଲ୍ଲା ଲଂକାହୁଡା ଗାଁର ରୂପକ ପଟେଲ । ଘରେ ଥିବା ପୁରୁଣା ସାଇକେଲକୁ ଏପରି ରଂଗ ଦେଲେ ଯେ, ଯାହାକୁ ନେଇ ଏବେଚାଲିଛି ଚର୍ଚ୍ଚା । ସାଧାରଣ ଭାବରେ ଆପଣମାନେ ବ୍ୟାଟେରୀ ଗାଡି ଓ ସାଇକେଲ ବଡବଡ ସୋରୁମରେ ଦେଖିଥିବେ । କିନ୍ତୁ ଘରେ ଥିବା ପୁରୁଣା ସାଇକେଲକୁ ଖତ ନକରି କେମିତି ବ୍ୟାଟେରୀ ଚାଳିତ ସାଇକେଲରେ ତାହା ପରିଣତ ହେଉଛି ତାହା ଉପରେ ଥରେ ନଜର ପକାନ୍ତୁ ।

ଦେଖନ୍ତୁ କେମିତି ତିଆରି ହୋଇଛି ଏହି ସାଇକେଲ । ଏହାକୁ କେହି ବଡ ବୈଜ୍ଞାନିକ ବି ତିଆରି କରିନାହାନ୍ତି । ଆଜ୍ଞା ହିଁ, ବିଶ୍ୱାସ ହେଉନଥିଲେ ବି ସତ । ବ୍ୟାଟେରୀ ସାଇକେଲର ନିର୍ମାତା ହେଉଛନ୍ତି ଏହି ଯୁବକ । ପାରିବାରିକ ସମସ୍ୟା ଲାଗି ବେଶି ପାଠ ବି ପଢିନାହାନ୍ତି । ମାତ୍ର ଯୁକ୍ତ୨ ପାଠ ପଢିବା ପରେ ସେ ଯେଉଁ ସାମଗ୍ରୀର ଉଦ୍ଭାବନ କରିଛନ୍ତି ତାହାକୁ ଦେଖିଲେ ସମସ୍ତେ ଚକିତ ଓ ବିସ୍ମିତ ହେଉଛନ୍ତି ।

ଚର୍ଚ୍ଚାରେ ସୁନ୍ଦରଗଡର ବ୍ୟାଟେରୀ ସାଇକେଲ । ମାତ୍ର ଯୁକ୍ତ୨ ପାଠ ପଢିଥିବା ଯୁବକ ନିଜର ବୁଦ୍ଧି ଖଟାଇ ତିଆରି କରିଛନ୍ତି ଏହି ଅତ୍ୟାଧୁନିକ ସାଇକେଲ । ସାଇକେଲ ନିର୍ମାତା ରୂପକ ପଟେଲ ଖଣ୍ଡେ ଛୋଟ ଦୋକାନ କରି ମେଂଟାନ୍ତି ପରିବାର ଗୁଜୁରାଣ । ତେଣୁ ଅନେକ ଚିନ୍ତା କରିବା ପରେ ଘରେ ଥିବା ପୁରୁଣା ସାଇକେଲକୁ ନୂଆ ରୂପ ଦେବାକୁ ଅଂଟା ଭିଡିଲେ । ପୁରୁଣା ସାଇକେଲକୁ ବାଲି କାଗଜରେ ସଫା କରି ରଂଗ କରିବା ସହ ସାଇକେଲ ଚେନର ପଛପଟେ ଫିଟ କଲେ ଏକ ମଟର । ବ୍ୟାଟେରୀ ଲାଗିବା ପରେ ଚମକି ଉଠିଲା ସାଇକେଲ । ଏହି ସ୍ୱତନ୍ତ୍ର ସାଇକେଲକୁ ତିଆରି କରିବାକୁ ଲାଗିଛି ୧୫ ଦିନର ସମୟ । ସାଇକେଲଟିକୁ ଗୋଟିଏ ଘଂଟା ଚାର୍ଜ କଲେ ଦୌଡୁଛି ୧୫ ରୁ ୨୦ କିମି ବାଟ । ଏହି ବ୍ୟାଟେରୀ ସାଇକେଲ ନିର୍ମାଣ କରିବା ପରେ ଗାଡିପରି ଏହାକୁ ବ୍ୟବହାର କରୁଛନ୍ତି ରୂପକ । ପୂରା ସାଇକେଲଟିକୁ ନିର୍ମାଣ କରିବାକୁ ଲାଗିଛି ୧୧ ରୁ ୧୨ ହଜାର ଟଙ୍କା । ତେବେ ଆପଣ ଯଦି କମ ଭୋଲ୍ଟର ବ୍ୟାଟେରୀ ଓ ମଟର ଲଗାଇଲେ ମାତ୍ର ୪ ରୁ ୫ ହଜାର ଟଂକାରେ ନିର୍ମାଣ ହୋଇଯିବ ଆପଣଙ୍କ ବ୍ୟାଟେରୀ ସାଇକେଲ ।

ବ୍ୟାଟେରୀ ସାଇକେଲ ନିର୍ମାଣ କରିବା ପରେ ବେଶ ଖୁସି ଅଛନ୍ତି ରୂପକ । ବିନା କୌଣସି ମେକାନିକ ସାହାର୍ଯ୍ୟରେ ଯେପରି ଭାବରେ ସାଇକେଲ ନିର୍ମାଣ କଲେ ତାହାକୁ ନେଇ ଗ୍ରାମବାସୀ ବି କରୁଛନ୍ତି ଢେର ପ୍ରଂଶାସ । କେବଳ ଏତିକି ନୁହେଁ ଏପରି ସାଇକେଲକୁ ଦେଖିବା ଲାଗି ଲୋକଙ୍କର ବି ଜମୁଛି ଭିଡ । ରୂପକ ପ୍ରମାଣ କରି ଦେଖାଇଛନ୍ତି ମଣିଷର ଇଚ୍ଛା ଶକ୍ତି ଥିଲେ ଯେକୌଣସି କାମ ବି କରିବା ହେବ ଅତି ସହଜ ।