କନକ ବ୍ୟୁରୋ: ଲୁଣି ଜଳର କୁମ୍ଭୀର ଏବେ ମଧୁର ଜଳ ମୁହାଁ । ଆଉ ଲୁଣି କୁମ୍ଭୀର ଆଁରେ ଜଣେ ମହିଳାଙ୍କ ଜୀବନ ଛଟପଟ ହୋଇ ଚାଲିଯାଇଛି । ବିରୂପା ନଦୀରେ ମହିଳାକୁ ଟାଣି ନେଇ ଖାଇଦେଇଛି କୁମ୍ଭୀର । ଘଟଣା ଘଟିଛି ଯାଜପୁର ଜିଲ୍ଲା ବରୀ ବ୍ଲକ ଅମଠପୁର ଅଞ୍ଚଳରେ । ଗାଁର ଜ୍ୟୋତ୍ସା ଜେନା ନଦୀରେ ଲୁଗା ଧୋଉଥିବାବେଳେ ହଠାତ୍ ମଣିଷଖିଆ କୁମ୍ଭୀର ମଝି ନଈକୁ ଟାଣି ନେଇ ଛଟପଟ କରି ମାରିଛି । ଶରୀରର ବିଭିନ୍ନ ଅଙ୍ଗକୁ ଅଲଗା ଅଲଗା କରି ଖାଇଛି କୁମ୍ଭୀର । ଏହାର ଭିଡିଓ ଭାଇରାଲ ହେଉଛି । ଅଗ୍ନିଶମ ବାହିନୀ ଜ୍ୟୋତ୍ସାଙ୍କ ଗୋଟିଏ ଗୋଡକୁ ହିଁ କେବଳ ଉଦ୍ଧାର କରିଛି ।

Advertisment

ଯାଜପୁର ନଦୀନାଳ ଘେରା ହୋଇଥିବାବେଳେ ଭିତରକନିକା ଏହାର ପଡୋଶୀ ଅଞ୍ଚଳ । ଜିଲ୍ଲା ଦେଇ ଯାଇଥିବା ବୈତରଣୀ, ଖରସ୍ରୋତା, ବ୍ରାହ୍ମଣୀ, ବୀରୁପା, ଗେଙ୍ଗୁଟି ଭଳି ନଦୀ କେନ୍ଦ୍ରପଡା ଦେଇ ସମୁଦ୍ରକୁ ସଂଯୋଗ କରୁଛି । ଫଳରେ କେନ୍ଦ୍ରାପଡାର ଭିତରକନିକାରୁ ମଣିଷଖିଆ କୁମ୍ଭୀର ଏବେ ଯାଜପୁରବାସୀଙ୍କ ପାଇଁ ବିପଦ ସାଜି ନଦୀରେ ଛକି ବସୁଛନ୍ତି । ଦଶରଥପୁରରେ ପୂର୍ବରୁ ଏଭଳି ଘଟଣା ଘଟିଥିବାବେଳେ ବିରୂପାରେ ଏବେ ଜଣେ ମହିଳାଙ୍କ ଜୀବନ ଯାଇଛି । ସାଧାରଣତଃ ସମୁଦ୍ର ନିକଟବର୍ତୀ ଲୁଣି ଜଳରେ ରହୁଥିବା ଏହି ବଉଳା କୁମ୍ଭୀର ୪୦ରୁ ୫୦ କିଲୋମିଟର ନଦୀରେ ଆସି ମଧୁର ଜଳରେ ରହିବା ସାଧାରଣରେ ସନ୍ଦେହ ସୃଷ୍ଟି କରିଛି । ଏପରିକି ପରୀକ୍ଷାମୂଳକ ଭାବେ ବନବିଭାଗ ବଂଶବିସ୍ତାର ପାଇଁ କୁମ୍ଭୀରକୁ ମଧୁର ଜଳରେ ଛାଡୁଥିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ ।

ଉପକୂଳ ଓଡିଶାର ଅନେକ ଜାଗାରେ ପାଣିର ସୁବିଧା ନଥିବାରୁ ଶହ ଶହ ଲୋକ ନଦୀ ଉପରେ ନିର୍ଭର କରିଥାନ୍ତି । କିନ୍ତୁ ଆଜିର ଦୃଶ୍ୟ ସମସ୍ତଙ୍କୁ ହତବାକ କରିଦେଇଛି ।