ସଂସାର ଗଢାହେବା ପୂର୍ବରୁ ଶ୍ମଶାନରେ ଶେଷ ନୂଆ ସମ୍ପର୍କ… କେଉଁଠି ବିବାହର ୫ ଦିନ ପରେ ଲିଭିଛି ମଥାର ସିନ୍ଦୂର ତ କେଉଁଠି ୧୮ ଦିନ ପରେ ଆଖିବୁଜିଛି ନବବଧୂ…

690

କନକ ବ୍ୟୁରୋ: ଦୀପୁ, ମାମା… ସଞ୍ଜୟ ସହିତ ମଧୁସ୍ମିତା… ନୂଆ ସମ୍ପର୍କ ଗଢାହେବା ଦିନ କାନ୍ଥରେ ସାକ୍ଷୀଥିଲେ ଏ ପ୍ରିତିଭରା ଲେଖା । କିନ୍ତୁ ଦିନ କେଇଟା ପରେ ଦୂରେଇଗଲେ ଦୀପୁ, ସବୁଦିନ ପାଇଁ ସେପାରିକୁ ଚାଲିଗଲେ ସଞ୍ଜୟ । ଏକାଏକା ରହିଗଲେ ମଧୁସ୍ମିତା, ନୂଆ ସମ୍ପର୍କକୁ ନିଜର କରିବାକୁ ସୁଯୋଗ ଦେଲାନି ନିଷ୍ଠୁର ବିଧାତା । ବାହାଘରର ୫ ଦିନ ପରେ ହିଁ ପରପାରିକୁ ଚାଲିଗଲେ ସବୁଦିନ ସାଥି ହୋଇ ଚାଲିବାର ଭରସା ଦେଇଥିବା ଇହ କାଳ ପରକାଳର ଦେବତା… ଆଉ ସ୍ୱାମୀଙ୍କ ମୃତ୍ୟୁ ପରେ ମାମାଙ୍କ ମଥାରୁ ଲିଭିଗଲା ସଜସଜ ସିନ୍ଦୂର… କରୋନା କାଳରେ ଏଭଳି ଏକ ହୃଦୟଥରା ଘଟଣା ଘଟିଛି କେନ୍ଦ୍ରାପଡ଼ା ରାଜକନିକା ବ୍ଲକ ପ୍ରଧାନପଡ଼ା ଦୁର୍ଗାଦେବୀପଡ଼ା ଗାଁରେ…

ତେବେ ସଂଜୟ କୁମାର ନାୟକ ବେଙ୍ଗାଲୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ତାଙ୍କ ବାହାଘର ରାଜକନିକା ବ୍ଲକର ଓଳାଭାର ପଂଚାୟତର ଏକ ଗାଁରେ ସ୍ତିର କରାଯାଇଥିଲା । ବାହାଘର ପାଇଁ ସେ ଗତ ୧ ତାରିଖ ଦିନ ଗାଁକୁ ଫେରିଥିଲେ । ଗତ ୯ ତାରିଖ ଦିନ ବାହାଘର ହୋଇଥିଲା । ଦୀପୁ ବେଙ୍ଗାଲୁରୁ ଫେରିବା ପରେ ତାଙ୍କର କୋଭିଡ଼ ପରୀକ୍ଷା ବି କରାଇଥିଲେ । କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା । ଘରେ ପହଞ୍ଚିବାର କିଛି ଦିନ ପରେ ତାଙ୍କ ଦେହ ଖରାପ ହୋଇଥିଲା । ଥଣ୍ଡା ଜ୍ୱର ଲାଗି ରହିବା ସହ କାଶ ମଧ୍ୟ ହେଉଥିଲା । ଆଉ ତାରି ଭିତରେ ହିନ୍ଦୁ ରିତିନୀତି ତାଙ୍କ ବିବାହ କରାଯାଇଥିଲା । ଆଉ ଇଏ ହେଉଛି ବାଡୁଅ ପାଣିରେ ଗାଧୋଇବା ବେଳର ଦୃଶ୍ୟ ।

ସେପଟେ ଔଷଧ ଖାଇବା ପରେ ମଧ୍ୟ ସଞ୍ଜୟଙ୍କର କାଶ, ଜ୍ୱର କମିନଥିଲା । ୧୨ ତାରିଖରେ ଚତୁର୍ଥି ଥିବା ବେଳେ ଅସୁସ୍ଥ ସତ୍ୱେ ମଧ୍ୟ ଚତୁର୍ଥି ପିଣ୍ଡ ପଡ଼ିବା ସହ ହୋମ ହୋଇଥିଲା । କିନ୍ତୁ ଚତୁର୍ଥିବାସୀ ଦିନ ତାଙ୍କ ଅବସ୍ଥା ବିଗିଡ଼ିବାରୁ ତାଙ୍କୁ ମେଡ଼ିକାଲ ନିଆଯାଇଥିଲେ ବି ବାଟ ମଝିରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ନୂଆ ନୂଆ ଲେଖାହୋଇଥିବା ଏକ ସମ୍ପର୍କର କାହାଣୀ ସେଇଠି ଶେଷ ହୋଇଥିଲା…

ଅନ୍ୟପଟେ ହାତରୁ ଲିଭିନି ମେହେନ୍ଦି, ପାଦରୁ ଲିଭିନି ଅଳତା ହେଲେ ଜୀବନ ଦୀପ ଲିଭିଯିବା ପରେ ଜୁଇରେ ଜଳିଛି ଚିତା । ରାଜଧାନୀର ୬ଟି ହସ୍ପିଟାଲ ହାଟଟେକି ଦେବା ପରେ ହାରିଯାଇଛନ୍ତି ନବ ବିବାହିତା । ତେବେ ବଡପାଳସାହିର ବେଣୁଧର ପାଳଙ୍କ ଝିଅ ସ୍ୱର୍ଣ୍ଣଲତା ଗତମାସ ୨୮ ତାରିଖରେ ବିଷ୍ଣୁଙ୍କୁ ବିବାହ କରିଥିଲେ । କିଛି ଦିନ ହେବ ତାଙ୍କୁ ଜ୍ୱର ଲାଗି ରହିଥିଲା । ଆଉ ସେ ଘରେ ରହି ଔଷଧ ଖାଇଥିଲେ ମଧ୍ୟ ଜ୍ୱର ନକମିବାରୁ ଶନିବାର ସକାଳୁ ବାଲିପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି ହୋଇଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲକୁ ହସ୍ପିଟାଲ ରେଫର କରାଯାଇଥିଲା । ତାପରେ କଟକ ଯିବା ପାଇଁ ପରାମର୍ଶ ଦିଆଯାଇଥିଲା । ମାତ୍ର ପରିବାର ଲୋକେ କଟକ ନନେଇ ମହିଳାଙ୍କୁ ଭୁବନେଶ୍ୱର ନେଇଥିଲେ ।

ସେପଟେ ଅବସ୍ଥା ଧିରେଧିରେ ସଙ୍କଟାପନ୍ନ ହେବାରୁ ଚିକିତ୍ସା ପାଇଁ ଅକ୍ସିଜେନ ଲଗାଇ ଆମ୍ବୁଲାନ୍ସରେ ୬ଟି ହସ୍ପିଟାଲ ବୁଲିଥିଲେ । ହେଲେ କେଉଁଠି ଚିକିତ୍ସା ପାଇଁ ସ୍ଥାନ ମିଳିନଥିଲା । ଅବ୍ୟବସ୍ଥା ନେଇ ପରିବାର ଲୋକେ ହୋହାଲ୍ଲା କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ତାଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା । ମାତ୍ର ରିପୋର୍ଟ ପଜିଟିଭ୍ ଆସିବା ପୂର୍ବରୁ ସେହି ହସ୍ପିଟାଲରେ ହିଁ ନବବିବାହିତା ଆଖି ବୁଜି ଦେଇଥିଲେ । ଆଉ ସମ୍ପର୍କର ରାସ୍ତାରେ ବାଟ ଚାଲିବା ଆଗରୁ ସ୍ୱର୍ଣ୍ଣଲତା ସବୁଦିନ ପାଇଁ ବାହୁଡିଯାଇଥିଲେ । ସତରେ ବିବାହକୁ ଏ ଦୁଇଟି କାହାଣୀ ହୃଦୟବିଦାରକ, କଷ୍ଟଦାୟକ…