କଟକରୁ ଆସିଲା ଅଭାବନୀୟ ଖବର । ମ୍ୟାନହୋଲରେ ମୃତ୍ୟୁବରଣ କଲେ ଶ୍ରମିକ । ଅନ୍ୟ ଜଣେ ଗୁରୁତର କଟକ ବଡ ମେଡିକାଲରେ ଭର୍ତ୍ତି ।

273

କନକ ବ୍ୟୁରୋ: ମ୍ୟାନହୋଲରେ ମୃତ୍ୟୁ । ମୂଲ ଆଣି ପରିବାର ପୋଷିବା ଆଶାରେ ସ୍ୱରେଜ ଲାଇନ୍ ସଫା କରିବାକୁ ଯାଇଥିଲେ ଶ୍ରମିକ । ହେଲେ ସେମାନଙ୍କୁ ଜଣାନଥିଲା ମ୍ୟାନହୋଲରେ ଛକି ରହିଛି ମୃତ୍ୟୁ । କଟକ ସିଡିଏ ସେକ୍ଟର ୧୦ ମଂଟେଶ୍ୱରୀ ଗଡାରେ ସ୍ୱେରେଜ ଲାଇନରେ ଶ୍ୱାସରୁଦ୍ଧ ହୋଇ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଗୁରୁତର ଅସୁସ୍ଥ ହୋଇ କଟକ ବଡ ମେଡିକାଲରେ ଭର୍ତି ହୋଇଛନ୍ତି । ତିନିକୋଣିଆ ବଗିଚାର ପି.ଶଙ୍କର ଓ ବଡମ୍ବାର ବିଷ୍ଣୁ ନାୟକଙ୍କ ଜୀବନ ଯାଇଥିବା ବେଳେ ଡି.ଶିବାଙ୍କର ଚିକିତ୍ସା ଚାଲିଛି ।

କଟକର ଏହି ଅଭାବନୀୟ ଘଟଣା ଗୋଟିଏ ଉଦାହରଣ ମାତ୍ର । ରାଜ୍ୟରେ ହେଉ ବା ଦେଶରେ, ଅନେକ ସ୍ଥାନରେ ଏମିତି ଘଟଣା ବାରମ୍ବାର ଘଟୁଛି । ପ୍ରତି ବର୍ଷ ଦେଶରେ ମ୍ୟାନହୋଲ ଦୁର୍ଘଟଣାରେ ପ୍ରାୟ ୧୦୦ ଜଣଙ୍କ ଜୀବନ ଯାଉଛି । ଗତବର୍ଷ ଭୁବନେଶ୍ୱର ଟଙ୍କପାଣି ରୋଡରେ ଏମିତି ଏକ ଦୁର୍ଘଟଣାରେ ୩ ଜଣ ଶ୍ରମିକ ଆକାଳରେ ମୃତ୍ୟୁବରଣ କରିଥିଲେ ।

ତେବେ ମ୍ୟାନହୋଲରେ ମୃତ୍ୟୁକୁ ନେଇ ସୁପ୍ରିମକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଥିଲେ । ୨୦୧୯ରେ ସର୍ବୋଚ୍ଚ ନ୍ୟାୟାଳୟ କହିଥିଲେ, ସ୍ୱାଧୀନତାର ୭୦ ପରେ ବି ସ୍ୱେରେଜ ଲାଇନ ସଫା କାମ, ମେସିନ ଦ୍ୱାରା ନକରି ମଣିଷଙ୍କୁ ବ୍ୟବହାର କରାଯାଉଛି । ଜାଣିଶୁଣି ଲୋକଙ୍କୁ ମରିବା ପାଇଁ ଗ୍ୟାସ ଚାମ୍ବରକୁ ପଠାଇ ଦିଆଯାଉଛି । ଏମିତି ଏକ ସମାନ ମାମଲାରେ ୨୦୧୪ରେ ସୁପ୍ରିମକୋର୍ଟ କହିଥିଲେ, ଆବଶ୍ୟକ ସୁରକ୍ଷା ନଦେଇ ଶ୍ରମିକଙ୍କୁ ମ୍ୟାନହୋଲକୁ ପଠାଇବା ଘଟଣାକୁ ଅପରାଧ ବୋଲି ଧରାଯିବ । ଯଦି ସ୍ୱରେଜ ଲାଇନରେ କାହାର ମୃତ୍ୟୁ ହୁଏ ତେବେ ସଂପୃକ୍ତ ରାଜ୍ୟ ସରକାର ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ।