କଟକରେ ମ୍ୟାନହୋଲ ସଫେଇ ବେଳେ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ : ଜେଇଙ୍କୁ ନିଲମ୍ବନ, ୨ ଅଧିକାରୀଙ୍କ ବଦଳି

ମୃତକଙ୍କ ପରିବାରଙ୍କୁ ୧୦ ଲକ୍ଷ ଓ ଆହତଙ୍କୁ ୨ ଲକ୍ଷ ଅନୁକମ୍ପା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

52

କନକ ବ୍ୟୁରୋ : କଟକରେ ସ୍ୱେରେଜ୍ ମ୍ୟାନହୋଲ ସଫେଇ କରୁଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଛନ୍ତି । ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଘଟଣାର ତଦନ୍ତ ପରେ ପିଏଚଇଓର କାର୍ଯ୍ୟକାରୀ ଯନ୍ତ୍ରୀ ତଥା ୱାଟକା ଜିଏମ ସୁଶାନ୍ତ ଘଡେଇ, ଏସଡିଓ ତଥା ଜିଏମ ୱାଟକା ସୁବାସ ରାଉତଙ୍କୁ ବଦଳି କରାଯାଇଛି ।

ଅନ୍ୟପଟେ କନିଷ୍ଠ ଯନ୍ତ୍ରୀ ପ୍ରତ୍ୟୋତ କୁମାର ସାହୁଙ୍କୁ ନିଲମ୍ବିତ କରାଯାଇଛି । ଏହାସହ ପ୍ରତ୍ୟୋତ ସାହୁ ଓ ସେବା ଯୋଗାଣକାରୀ ଦୀପକ ନାୟକଙ୍କ ବିରୋଧରେ ସିଏମସି ପକ୍ଷରୁ ଅଭିଯୋଗ କରାଯାଇଛି । ସେପଟେ ଦୁର୍ଘଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ ନିକଟ ସଂପର୍କୀୟଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ଓ ଆହତଙ୍କ ପାଇଁ ୨ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ତେବେ କଟକର ଏହି ଘଟଣା ଗୋଟିଏ ଉଦାହରଣ ମାତ୍ର । ହିସାବ ଅନୁସାରେ ସାରାଦେଶରେ ପ୍ରତିବର୍ଷ ଏଭଳି ଶତାଧିକ ଘଟଣା ଘଟୁଛି ।