ମୁଁ ଯବାନ ହେବି, ସୀମା ଜଗିବି… ସେନାରେ ସାମିଲ ହେବାକୁ ସାଆନ୍ତେଙ୍କୁ ଗୁହାରୀ କଲେ ସୌରଭ । ବାରମ୍ବାର ବିଫଳ ହେବା ପରେ ଜଗାକୁ ଜଣାଇବାକୁ ଭଦ୍ରକରୁ ଚାଲିଚାଲି ପୁରୀ ଆସିଲେ ଯୁବକ

576

କନକ ବ୍ୟୁରୋ: ଯବାନ ହେବାକୁ ଜଗାକୁ ଗୁହାରୀ । ଜଗା ବିନା ଯବାନ ହେବା ଅସମ୍ଭବ, ସେନାରେ ଚାକିରି ମିଳିବା କଷ୍ଟକର । ତେଣୁ ତ ବଡଦାଣ୍ଡରେ ବଡ ଠାକୁରଙ୍କ ପାଖରେ ହାତ ଯୋଡି ପ୍ରାର୍ଥନା କରିବାକୁ ଚାଲି ଚାଲି କାଳିଆ ପାଖକୁ ଆସିଛନ୍ତି ଜଣେ ଯୁବକ । ସେନାରେ ସାମିଲ ହେବାକୁ କଳା ସାଆନ୍ତେ ତାଙ୍କୁ ଶକ୍ତି ଦିଅନ୍ତୁ ଆଉ ତାଙ୍କ ଇଚ୍ଛାକୁ ସଙ୍ଗେସଙ୍ଗେ ପୂରଣ କରନ୍ତୁ ଏଇ ଆଶା ନେଇ ସୁଦୂର ଭଦ୍ରକରୁ ୨୩୦ କିଲୋମିଟର ପାଦରେ ଚାଲି ଚାଲି ପୁରୀ ବଡଦାଣ୍ଡରେ ପହଞ୍ଚିଛନ୍ତି ସେନାରେ ସାମିଲ ହେବାକୁ ଇଚ୍ଛା ରଖିଥିବା ଭଦ୍ରକର ସୌରଭ ସେଠୀ ।

ଦେଶ ମାତୃକାର ସେବା ପାଇଁ ଅହରହ ସ୍ୱପ୍ନ ଦେଖୁଥିବା ସୌରଭ ଯୁକ୍ତ ଦୁଇ ପାସ କରିବା ପରେ ସେନା ପାଇଁ ବାରମ୍ବାର ପରୀକ୍ଷା ଦେଇଆସୁଛନ୍ତି । ହେଲେ ବିଭିନ୍ନ କାରଣରୁ ସେ ବିଫଳ ହେଉଥିବାରୁ ଶେଷରେ ଭଗବାନଙ୍କୁ ଭରସା କରିଛନ୍ତି ସୌରଭ । ସୀମାକୁ ଯିବାକୁ ସେ ପ୍ରଥମେ ଦୌଡି ଦୌଡି ୭୦ କିଲୋମିଟର ଅତିକ୍ରମ କରି ଘଟଗାଁ ତାରିଣୀ ପାଖକୁ ଯାଇଥିଲେ ଆଉ ନିଜ ଦୁଃଖ ଜଣାଇଥିଲେ । ତେବେ ମାଆ ତାରିଣୀଙ୍କ ପରେ ସୀମା ଜଗିବାକୁ ସାଆନ୍ତଙ୍କ ପାଖରେ ଗୁହାରୀ କରିଛନ୍ତି ସୌରଭ । ଭଦ୍ରକରୁ ୨୩୦ କିମି ଚାଲିଚାଲି ସେନାରେ ଚାକିରି ପାଇବାକୁ ଜଗା ଦୁଆରେ ପହଞ୍ଚିଛନ୍ତି ସୌରଭ ।

ସେପଟେ ସୌରଭ ବାପାଙ୍କ ଇଚ୍ଛା ପୂରଣ କରିବାକୁ ସେନାରେ ସାମିଲ ହେବାକୁ ଜିଦ ଧରିଛନ୍ତି । କାରଣ ସୌରଭଙ୍କ ସବୁ ଭାଇ ପୋଲିସରେ ଭର୍ତ୍ତି ହୋଇଛନ୍ତି । ତେଣୁ ତାଙ୍କ ଦେହରେ ବି ଖାକି ପୋଷାକ ରହିବ ସେହି ସ୍ୱପ୍ନ ନେଇ ଶ୍ରୀମନ୍ଦିର ଯାଇଛନ୍ତି ସୌରଭ । ତେବେ ଶ୍ରୀକ୍ଷେତ୍ରରେ ପହଞ୍ଚିବା ପରେ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦେଇଛନ୍ତି ଜିଲ୍ଲା କ୍ରୀଡା ଅଧିକାରୀ । ଦେଶ ପାଇଁ ଏଭଳି ଇଚ୍ଛା ଆଉ ନିଷ୍ଠା ରଖିଥିବାରୁ ଅନେକ ଲୋକ ମଧ୍ୟ ତାଙ୍କୁ ବାଃ ବାଃ କହୁଛନ୍ତି ।