ସେଲଫି ହେଲା କାଳ : ନବରଙ୍ଗପୁରର କୋଷାମଗୁଡା ଅଂଚଳରେ ସେଲଫି ନେଲା ବେଳେ ଭାଲୁ ଆକ୍ରମଣରେ ଡ୍ରାଇଭରର ମୃତ୍ୟୁ

54

କନକ ବ୍ୟୁରୋ : ସେଲ୍ଫି ହେଲା କାଳ । ଭାଲୁ ସହ ସେଲ୍ଫି ନେଇ ଜଣେ ଲୋକଙ୍କର ଜୀବନ ମଧ୍ୟ ଚାଲିଯାଇଛି । ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ନବରଙ୍ଗପୁର କୋଷାଗୁମୁଡ଼ା ବ୍ଲକର ଫାର୍ସାଗୁଡ଼ା ପଂଚାୟତର ପଦୁବସା ଜଙ୍ଗଲରେ । ଜଣେ ବୋଲେରୋ ଡ଼୍ରାଇଭର ଏକ ପୋଖରୀ ନିକଟରେ ଭାଲୁ ସହ ସେଲ୍ଫି ନେଉଥିବା ବେଳେ ଭାଲୁଟି ଆକ୍ରମଣ କରିଥିଲା ।

ଡ଼୍ରାଇଭର ଜଣକ ସେଲ୍ଫି ନେବାବେଳେ ପୋଖରୀରେ ଭିତରେ ଫସିଯାଇଥିଲେ । ଏହି ସମୟରେ ଭାଲୁଟି ତାଙ୍କୁ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ଡ଼୍ରାଇଭରର ମୃତ୍ୟୁ ହୋଇଛି । ବନବିଭାଗ ଘଟଣାସ୍ଥଳରେ ପହଂଚି ଭାଲୁକୁ ଟ୍ରାଙ୍କୁଲାଇଜର ଦେଇ ବେହୋସ କରିବାପରେ ମୃତଦେହ ଉଦ୍ଧାର କରିଛି । ତେବେ ସବୁଠାରୁ ଅମାନବୀୟ ଘଟଣା ହେଉଛି ସେଠାରେ ଲୋକମାନେ ସେଲ୍ଫି ନେବାର ଦୃଶ୍ୟକୁ ରେକର୍ଡ଼ିଂ କରୁଥିବା ବେଳେ ଲୋକଟିକୁ କେହି ସହାୟତା କରିବାକୁ ଆଗେଇ ଆସିନଥିଲେ । । କିନ୍ତୁ ସେଠାରେ ଥିବା ଏକ କୁକୁର ଲୋକଟିକୁ ସାହାଯ୍ୟ କରିବାକୁ ଚେଷ୍ଟା କରୁଥିଲା । ମୃତ ଲୋକଟିର ନାମ ପ୍ରଭୁ ଭତରା ବୋଲି ଜଣାପଡ଼ିଛି ।

ସେପଟେ ସେଲଫି ନେବା ବେଳେ ଜଳପ୍ରପାତ ତଳକୁ ଖସିପଡିଲେ ଯୁବକ । କୋରାପୁଟ ପଟାଙ୍ଗୀ ବ୍ଲକ ନୂଆଗାଁ ଗାଲିଗବଡର ଜଳପ୍ରପାତ ବୁଲି ଆସିଥିବା ଜଣେ ପର୍ଯ୍ୟଟକ ୫୦ ଫୁଟ ତଳକୁ ଖସିପଡି ଗୁରୁତର ହୋଇଛନ୍ତି । ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି । କଳାହାଣ୍ଡି ଜିଲ୍ଲାର ସୁବ୍ରତ ନାଗ ଅନ୍ୟ କିଛି ଯୁବକଙ୍କ ସହ ଗାଲିଗବଡର ସ୍ଥିତ ରତିବାଲି ଜଳପ୍ରପାତ ବୁଲିବାକୁ ଯାଇଥିଲେ । ତେବେ ଅସାବଧାନତା କାରଣରୁ ଗୋଡ ଖସିଯିବାରୁ ସୁବ୍ରତ ପ୍ରାୟ ୫୦ ଫୁଟ ତଳକୁ ଖସିପଡିଥିଲେ । ସାଂଗରେ ଥିବା ଅନ୍ୟ ଯୁବକମାନେ ତାଙ୍କୁ ଗୁରୁତର ଅବସ୍ଥାରେ ପଟାଙ୍ଗୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି ।