କନକ ବ୍ୟୁରୋ: ଚାଷୀ ବଞ୍ଚିବ, ଚାଷ ବଞ୍ଚିବ । ମଞ୍ଜି ମଣିଷଙ୍କ ବୁଲେଟ୍ ଯାତ୍ରା । ସବୁଜ ପୃଥିବୀ ପାଇଁ ଭାରତ ଭ୍ରମଣ । ଚାଷୀ ଘରର ପିଲାଟିଏ ଜାଣେ ଚାଷ କରିବା କେତେ କଷ୍ଟ, ଅମଳ କରିବାକୁ କେତେ ମେହେନତ କରିବାକୁ ପଡେ ଆଉ ଚାଷ ଯେବେ କ୍ଷତିଗ୍ରସ୍ତ ହୁଏ ସେବେ କେତେ କଷ୍ଟ ପାଏ କୃଷକ । ଆଗରୁ ଜୈବିକ ଚାଷ ହେଉଥିଲା, ଜୀବନ ଓ ଜୀବନଶୈଳୀ ଉନ୍ନତ ଧରଣର ଥିଲା ମାତ୍ର ଏବେ ବଦଳିଛି ଚାଷର ପଦ୍ଧତି । ଜଳବାୟୁ ପରିବର୍ତ୍ତନ ଓ ବଦଳୁଥିବା ପାଣିପାଗ ପାଇଁ ଚାଷ ଖରାପ ହେଉଛି । ଚାଷୀ ଆତ୍ମହତ୍ୟା କରୁଛି । ଯାହା ଏ ଯୁବକଙ୍କୁ ମର୍ମାହତ କରିଛି । ଆଉ ସେ ଚାଷୀ କୂଳର କଲ୍ୟାଣ ପାଇଁ ଚାଷର ମାନ ପରିବର୍ତ୍ତନ ପାଇଁ ପୁଣି ଜୈବିକ ଚାଷ କରିବାକୁ ଭାରତ ଭ୍ରମଣରେ ବାହାରିଛନ୍ତି ଅରୁଣ ।ପାଦରେ ଚପଲ, ହାତରେ ବୁଲେଟ, ପଛରେ ମଞ୍ଜି ଭର୍ତ୍ତି ବ୍ୟାଗ ଧରି ଦେଶ ବୁଲିବାକୁ ବାହାରିଛନ୍ତି ତାମିଲନାଡୁର ଚାଷୀ ପରିବାରର ପୁଅ ସଲାଇ ଅରୁଣ । ବୟସ ୩୦ । ମାତ୍ର ଏହି ବୟସରେ ବିରାଟ ଉଦ୍ଦେଶ୍ୟ ନେଇ ଘରୁ ବାହାରିଛନ୍ତି ସେ । ପ୍ରଥମେ ତାମିଲନାଡୁର ଜିଲ୍ଲା ଜିଲ୍ଲା ବୁଲି ଚାଷୀଙ୍କୁ ଜୈବିକ ମଞ୍ଜି ବାଣ୍ଟିବା ପରେ ଏବେ ସାରା ଭାରତରେ ଏହି ମଞ୍ଜି ବଣ୍ଟା ଅଭିଯାନକୁ ଆଗକୁ ନେବାକୁ ଅରୁଣ ବୁଲେଟ୍ ଧରି ବାହାରି ପଡିଛନ୍ତି ।
ଓଡିଶାର ବିଭିନ୍ନ ଜିଲ୍ଲା ବୁଲି ଚାଷୀଙ୍କୁ ରସାୟନିକ ଚାଷ ଛାଡି ଜୈବିକ ଚାଷ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଆଉ ଜୈବିକ ମଞ୍ଜି ପ୍ରଦାନ କରିଛନ୍ତି । ଅରୁଣ କେବଳ ଜୈବିକ ମଞ୍ଜି ବାଣ୍ଟୁ ନାହାନ୍ତି ବରଂ ଉକ୍ତ ଅଞ୍ଚଳର, ଉକ୍ତ ଜିଲ୍ଲାର ବିଭିନ୍ନ କିସମର ମଞ୍ଜି ବି ସେ ସଂଗ୍ରହ କରି ଦେଶର ବିଭିନ୍ନ ସ୍ଥାନର ଚାଷୀଙ୍କୁ ଦେଉଛନ୍ତି ।
ଚାଷୀର ଦରଦୀ ବନ୍ଧୁ ପାଲଟିଥିବା ଅରୁଣ ଏବଂ ତାଙ୍କ ଏହି ନିଆରା ଅଭିଯାନର ସବୁଠୁ ବଡ ଏବଂ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଅରୁଣ ଯେଉଁ ବୁଲେଟଟି ଧରି ଭାରତ ଭ୍ରମଣ କରୁଛନ୍ତି ତାହା ତାଙ୍କୁ ଚାଷୀମାନେ ହିଁ ଉପହାର ଦେଇଛନ୍ତି । ସେ ନିଜେ ମାତ୍ର ୩୦୦ ଟଙ୍କା ଦେଇଥିବା ବେଳେ ପୂରା ବୁଲେଟର ଖର୍ଚ୍ଚ ୨୦୦ ଚାଷୀ ଟଙ୍କା ଆଦାୟ କରି କିଣିଛନ୍ତି । ଜୀବନ ପାଇଁ ଜୈବିକ ଚାଷର ଆବଶ୍ୟକତା ଅଧିକ ଥିବାରୁ ସ୍କୁଲ ସ୍ତରରେ ମଧ୍ୟ ପିଲାଙ୍କୁ ଶିକ୍ଷା ଦେଉଛନ୍ତି । ତେବେ ତାମିଲନାଡୁର ଯୁବକ ଅରୁଣଙ୍କ ଏହି ନିଆରା ପ୍ରୟାସ ଏ ସୁସ୍ଥ ପୃଥିବୀ ଗଢି ତୋଳିବାରେ ସାହାଯ୍ୟ କରିବ ନିଶ୍ଚିତ ।