ଡାକ୍ତରୀ ପଢ଼ିବା ନିଶା ଆଗରେ ହାର ମାନିଲା ବୟସ । ୬୪ ବର୍ଷ ବୟସରେ ବୁର୍ଲା ଭିଏସଏସ୍ ମେଡ଼ିକାଲ କଲେଜରେ ନାଁ ଲେଖାଇଲେ ଜୟ କିଶୋର ପ୍ରଧାନ ।

766

କନକ ବ୍ୟୁରୋ : ଅବସର ବୟସ ୬୦ । ଚାକିରି ଜୀବନରୁ ଅବସର ନେଇଗଲା ପରେ ମଣିଷ ପରିବାର ସହ ସମୟ ବିତାଇବାକୁ ପସନ୍ଦ କରେ । ନାତିନାତୁଣୀଙ୍କ ଗହଣରେ ଦିନ କାଟିବାକୁ ପସନ୍ଦ କରେ । ହେଲେ ଆଜି ଆମେ ଏମିତି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀଙ୍କ କଥା କହିବାକୁ ଯାଉଛୁ, ଯିଏ ପାଠ ବଢ଼ିବାକୁ ମନ ବଳାଇଛନ୍ତି । ତାହା ପୁଣି ଡାକ୍ତରୀ ପାଠ । ୬୪ ବର୍ଷ ବୟସରେ ଏମ୍ବିବିଏସ୍ ପାଠ୍ୟକ୍ରମରେ ନାମ ଲେଖାଇଥିବା ଜୟ କିଶୋର ପ୍ରଧାନଙ୍କ କାହାଣୀ ।

ପାଠ ପଢ଼ିବାର କ’ଣ ବୟସ ଥାଏ? ସତରେ କଥାଟି ଯିଏ ବି କହୁନା କାହିଁକି ହୁଏତ ଠିକ୍ କହିଛି । ତାହା ହୋଇନଥିଲେ ନାତିନାତୁଣୀ ଖେଳାଇବା ବୟସରେ ଛୋଟ ପିଲାଟିଏ ଭଳି ବହିବସ୍ତାନୀ ଧରି, କ’ଣ ଜଣେ ବୟସ୍କ ବ୍ୟକ୍ତି ଏମିତି ବସିଯାଇଥାନ୍ତେ । ବରଗଡ଼ ଜିଲ୍ଲା ଅତାବିରାର ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ ଜୟକିଶୋର ପ୍ରଧାନ  । ୬୪ ବର୍ଷ ବୟସରେ ନିଟ୍ ପରୀକ୍ଷାରେ ସଫଳତାର ସହ ଉତୀର୍ଣ୍ଣ ହେବା ପରେ ବୁର୍ଲର ଭିମସାରରେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ଭାବେ ନାମ ଲେଖାଇଛନ୍ତି ।

ପିଲା ବେଳରୁ ଡାକ୍ତର ହେବାକୁ ଇଚ୍ଛା ରଖିଥିଲେ ଜୟ କିଶୋର । କ୍ୟାରିୟର ଆରମ୍ଭରୁ ଥିବା ଇଚ୍ଛାକୁ ଏବେ ପୂରଣ କରିବାକୁ ଯାଉଛନ୍ତି ଅତାବିରାର ଏହି ଅବସରପ୍ରାପ୍ତ ବ୍ୟାଂକ ଅଧିକାରୀ । କିଭଳି ପାଠ ପଢ଼ି ଜଣେ ଭଲ ଡାକ୍ତର ହୋଇ ବାହାରିବେ ଓ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିପାରିବେ, ଏବେ ତାହା ହିଁ ସେ ଲକ୍ଷ୍ୟ ରଖିଛନ୍ତି ।

ଜୟକିଶୋର ସେପ୍ଟେମ୍ବର ମାସରେ ନିଟ୍ ପରୀକ୍ଷା ଦେଇଥିଲେ । ଏଥିରେ ସେ ଭଲ ରାଂକରେ ଉତୀର୍ଣ୍ଣ ହୋଇଥିଲେ । ଆଉ ଦିବ୍ୟାଙ୍ଗ ପାଇଁ ସଂରକ୍ଷିତ ସିଟରେ ଜୟକିଶୋର ନାମ ଲେଖାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ବୁଧବାର ତାଂକ ନାମଲେଖା ହୋଇଥିବା ବେଳେ ଗୁରୁବାର ମେଡିକାଲ ଟେଷ୍ଟ ମଧ୍ୟ ଶେଷ ହୋଇଛି ।