ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବାକୁ ୨୨ ଦିନରେ ୭୫୦ କିଲୋମିଟର ପଦଯାତ୍ରା କଲେ ବୃଦ୍ଧ । ପଢନ୍ତୁ, କେମିତି କଲେ ସାକ୍ଷାତ…

517

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟ କରିବାକୁ ୭୫୦ କିଲୋମିଟର ପଦଯାତ୍ରା । କଥାଟି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ମଧ୍ୟପ୍ରଦେଶର ଜଣେ ବ୍ୟକ୍ତି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି କରିବାକୁ ୨୨ ଦିନରେ ଚାଲି ଚାଲି ଅତିକ୍ରମ କରିଛନ୍ତି ୭୫୦ କିଲୋମିଟର ରାସ୍ତା । ଆଉ ଶେଷରେ ତାଙ୍କର ଇଚ୍ଚା ପୂରଣ ହୋଇଛି । ପ୍ରଧାନମନ୍ତ୍ରୀ ମୋଦୀ ନିଜେ ଆସି ତାଙ୍କ ସହିତ ଦେଖା କରିଛନ୍ତି ।

ମଧ୍ୟପ୍ରଦେଶର ଦେବରୀ ସାଗର ଜିଲ୍ଲାରେ ରହୁଥିବା ୬୩ ବର୍ଷୀୟ ଛୋଟେଲାଲ ଅହିରବାର ମୋଦୀଙ୍କୁ ଦେଖା କରିବାକୁ ପଦଯାତ୍ରା ଆରମ୍ଭ କରିଥିଲେ । ଦୀର୍ଘ ୨୨ ଦିନର ଯାତ୍ରା ପରେ ସେ ଦିଲ୍ଲୀରେ ଯାଇ ପହଞ୍ଚିଥିଲେ । ହେଲେ ଏହାପରେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ସହିତ ଦେଖା କରିବାର ସୁଯୋଗ ମିଳିନଥିଲା । ହେଲେ ଯେତେବେଳେ ଏହି ଖବର କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କ କାନକୁ ଯାଇଥିଲା , ସେ ନିଜେ ଛୋଟେଲାଲଙ୍କୁ ନିଜ ଆବାସକୁ ଡାକିଥିଲେ ଓ ତାଙ୍କ ରହଣୀର ବ୍ୟବସ୍ଥା କରିଥିଲେ ।

ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲ ଏନେଇ ପ୍ରଧାନମନ୍ତ୍ରୀଙ୍କ ଆବାସ ସହିତ ଯୋଗାଯୋଗ କରିଥିଲେ । ଆଉ ଶେଷରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଥିଲେ ୬୩ ବର୍ଷୀୟ ତାଙ୍କର ଏହି ଫ୍ୟାନ୍ ଛୋଟେଲାଲ ଅହରିବାର । ମୋଦୀଙ୍କୁ ଭେଟିବା ପରେ ଛୋଟେଲାଲ ତାଙ୍କ ସହିତ କିଛି ସମୟ ଅତିବାହିତ କରିଥିଲେ । ଏହି ସମୟରେ ମୋଦୀ ତାଙ୍କୁ ପ୍ରଶ୍ନ କରିଥିଲେ,  ମୋତେ ସାକ୍ଷାତ କରିବାକୁ ଦିଲ୍ଲୀକୁ ଚାଲି ଚାଲି ଆସିବା କଣ ଦରକାର ଥିଲା ? ଏହାର ଜବାବରେ ଛୋଟେଲାଲ କହିଥିଲେ, ଯଦି ସେ ଚାଲି ଚାଲି ଦିଲ୍ଲୀ ଆସିନଥାନ୍ତେ ତେବେ ବୋଧହୁଏ ସେ ପ୍ରଧାନମନ୍ତ୍ରୀଙ୍କୁ ଭେଟି ପାରିନଥାନ୍ତେ । ଏହି କଥା ଶୁଣିବା ପରେ ପ୍ରଧାନମନ୍ତ୍ରୀ ଛୋଟେଲାଲଙ୍କୁ କୋଳେଇ ନେଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହିତ ଏହି ସାକ୍ଷାତ ସମୟରେ ଛୋଟେଲାଲ ତାଙ୍କ ଅଞ୍ଚଳରେ ଦେଖାଯାଉଥିବା ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ । ଦେବରୀ କ୍ଷେତ୍ରରେ ଏକ କାରଖାନା ପ୍ରତିଷ୍ଠା ପାଇଁ ବହୁଦିନରୁ ଦାବି ହୋଇ ଆସୁଥିବା ନେଇ ସେ ମୋଦୀଙ୍କୁ ଜଣାଇଥିଲେ । ଖାଲି ସେତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ ଛୋଟେଲାଲ ତାଙ୍କୁ ଓ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ସିଂହ ପଟେଲଙ୍କୁ ଧନ୍ୟବାଦ ଦେଇଛନ୍ତି ।