କନକ ବ୍ୟୁରୋ: ମହାରାଷ୍ଟ୍ର ଅହମ୍ମଦନଗର ହସ୍ପିଟାଲରେ ଭୟଙ୍କର ଅଗ୍ନିକାଣ୍ଡ । ଡାକ୍ତରଖାନାର କୋଭିଡ୍ ଆଇସିୟୁରେ ନିଆଁ ଲାଗିବା ଫଳରେ ୧୦ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି ଅନେକ ରୋଗୀଙ୍କର ଅବସ୍ଥା ଗୁରୁତର ରହିଛି ।
କରୋନା ଭଳି ମାରାତ୍ମକ ରୋଗରୁ ଭଲ ହେବା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ କିଏ ଜାଣିଥିଲା ଅଗ୍ନିକାଣ୍ଡରେ ଚାଲିଯିବ ଜୀବନ । ଶନିବାର ସକାଳେ ମହାରାଷ୍ଟ୍ର ଅହମ୍ମଦନଗରର ସିଭିଲ ହସ୍ପିଟାଲର କୋଭିଡ ୱାର୍ଡର ଆଇସିୟୁରେ ଅଗ୍ନିକାଣ୍ଡ ଘଟିବାରୁ ୧୦ ରୋଗୀ ପ୍ରାଣ ହରାଇଛନ୍ତି । ଆଉ ନିଆଁ ଲାଗିବାରୁ ଗୋଟିଏ ପରେ ଗୋଟିଏ ଜୀବନ ଚାଲିଯାଇଛି । ନିଆଁ ଲାଗିବାର କାରଣ ସର୍ଟସର୍କିଟ ବୋଲି ଜିଲ୍ଲାପାଳ କହିଛନ୍ତି ।
- ମୃତ୍ୟୁ ପାଇଁ କିଏ ଦାୟୀ?
- ହସ୍ପିଟାଲ ପାଖରେ ଥିଲା ତ ଫାୟାର ସେଫଟି ସାର୍ଟିଫିକେଟ?
- ଦୁର୍ଘଟଣା ସମୟରେ ନିଆଁକୁ ଆୟତ୍ତ କରିବାକୁ ନଥିଲା କି ଉପକରଣ?
ଶନିବାର ସକାଳୁ ମହାରାଷ୍ଟ୍ର ଅହମ୍ମଦନଗର ଡାକ୍ତରଖାନାର କୋଭିଡ୍ ଆଇସିୟୁରେ ହଠାତ୍ ନିଆଁ ଲାଗିଯାଇଥିଲା । ଆଇସିୟୁରେ କରୋନାର ଗୁରୁତର ରୋଗୀ ଚିକିତ୍ସିତ ହେଉଥିଲେ । ଆଇସିୟୁରେ ମୋଟ୍ ୧୭ ଜଣ ରୋଗୀ ଥିବାବେଳେ, ସେମାନଙ୍କ ମଧ୍ୟରୁ ୧୦ ଜଣ ଅଗ୍ନିକାଣ୍ଡରେ ପ୍ରାଣ ହରାଇଛନ୍ତି । ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଜୀବନ ବଞ୍ଚାଇବାକୁ ଯାଇ ଚିକ୍ରାର କରୁଥିଲେ ଆକ୍ରାନ୍ତ ।
ହସ୍ପିଟାଲରେ ଅଗ୍ନିକାଣ୍ଡ ନେଇ ପ୍ରଧାନମନ୍ତୀଙ୍କ ପାଖରୁ ଗୃହମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୁଃଖ ପ୍ରକାଶ କରିଛନ୍ତି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଦିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ହେଲେ ନିଆଁ ଲାଗିବାର କାରଣ ଜାଣିବା ପାଇଁ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ସପ୍ତାହକ ମଧ୍ୟରେ ତଦନ୍ତ ସାରି ରିପୋର୍ଟ ଦେବାକୁ କହିଛନ୍ତି ।
କୋଭିଡ ହସ୍ପିଟାଲରେ ନିଆଁ ଲାଗି ରୋଗୀ ମୃତ୍ୟୁ ଘଟଣା ଅନେକ ବାର ସାମ୍ନାକୁ ଆସିଛି । ଗତ ଅଗଷ୍ଟରୁ ଏଯାବତ ୨୪ଟି କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଛି । ଯେଉଁଥିରେ ୯୩ ଜଣଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ମଧ୍ୟରୁ ଅଧିକାଂଶ କୋଭିଡରେ ଆକ୍ରାନ୍ତ ଥିଲେ । ମୋଟ ମୃତକଙ୍କ ମଧ୍ୟରୁ ୪୩ ଜଣ ମହାରାଷ୍ଟ୍ରର ହୋଇଥିବା ବେଳେ ୩୫ ଗୁଜରାଟର । ସେହିପରି ଗୁଜରାଟର ଭାରୁଚ ହସ୍ପିଟାଲରେ ଅଗ୍ନିକାଣ୍ଡ ହେବାରୁ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ନର୍ସ ଜୀବନ୍ତ ଦଗ୍ଧ ହୋଇଥିଲେ । ଆଉ ଏବେ ମହାରାଷ୍ଟ୍ରରେ ଘଟଣାର ପୁନରାବୃତି ହୋଇଛି ।