ମହାରାଷ୍ଟ୍ରର ଅହମଦନଗରରେ ବଡ ଧରଣର ଅଗ୍ନିକାଣ୍ଡ । କୋଭିଡ୍ ୱାର୍ଡରେ ନିଆଁ ଲାଗି ଜଳିଗଲେ ୧୦ ରୋଗୀ ।

233

କନକ ବ୍ୟୁରୋ: ମହାରାଷ୍ଟ୍ର ଅହମଦନଗରରେ ବଡ ଧରଣର ଅଗ୍ନିକାଣ୍ଡ । ସିଭିଲ ହସପିଟାଲର କୋଭିଡ ୱାର୍ଡରେ ବଡ ଧରଣର ଅଗ୍ନିକାଣ୍ଡ ଘଟିଛି । ଘଟଣାରେ ଏବେ ସୁଦ୍ଧା ୧୦ ଜଣଙ୍କ ମୃତ୍ୟୁ ଘଟିଛି । ୧୦ ଜଣ କରୋନା ରୋଗୀ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଆହତଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅହମଦନଗର ଜିଲ୍ଲାପାଳ ରାଜେନ୍ଦ୍ର ଭୋସଁଲେ କହିଛନ୍ତି ସଟସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଛି । ହସପିଟାଲରେ ମୋଟ ୧୭ଜଣ ରୋଗୀ ଚିକିତ୍ସିତ ହେଉଥିଲେ । ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଅନ୍ୟ ଗୁରୁତର ରୋଗୀଙ୍କୁ ଅନ୍ୟ ହସପିଟାଲକୁ ସ୍ତାନାନ୍ତର କରାଯାଇଛି । ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହ ମନ୍ତ୍ରୀ ଅମିତ ଶାହ ପ୍ରମୁଖ ଟ୍ୱିଟ୍ କରି ଦୁଃଖ ପ୍ରକାଶ କରିଛନ୍ତି । ସେହିପରି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଦୁଃଖ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସପ୍ତାହକ ଭିତରେ ତଦନ୍ତ କରି ରିପୋର୍ଟ ଦେବାକୁ କହିଛନ୍ତି ଉଦ୍ଧବ ଠାକରେ । ମୃତକଙ୍କ ପରିବାରକୁ ୫ ଲକ୍ଷ ଲେଖାଏଁ କ୍ଷତିପୂରଣ ଦେବାକୁ ଉଦ୍ଧବ ସରକାର ନିଷ୍ପତ୍ତି ନେଇଛନ୍ତି ।