କନକ ବ୍ୟୁରୋ : ୧୮ ତାରିଖ ବେଳକୁ ଉତ୍ତର-ଆଣ୍ଡାମାନ ସାଗର ଓ ତା’ର ପାଶ୍ୱର୍ବର୍ତୀ ଅଂଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ସମ୍ଭାବନା ରହିଛି । ପରବର୍ତୀ ସମୟରେ ଏହା ପଶ୍ଚିମ-ଉତର ପଶ୍ଚିମ ଦିଗରେ ଏହା ମୁହାଁଇବ । ଏବଂ ପଶ୍ଚିମ-କେନ୍ଦ୍ରୀୟ ପାଶ୍ୱର୍ବର୍ତୀ ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଅଂଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ର ପରିଣତ ହୋଇପାରେ । ଏପରି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଲଘୁଚାପ ଆହୁରି ଘନିଭୂତ ହୋଇ ଅବପାତର ରୂପ ନେବା ଆଶଙ୍କା କରାଯାଉଛି ।
ତେବେ ପରବର୍ତ୍ତୀ ସମୟରେ ଏହା ଆହୁରି ଘନିଭୂତ ହେବ କି ନାହିଁ, ଏ ନେଇ କିଛି ଆକଳନ କରାଯାଇନାହିଁ । ଲଘୁଚାପ ଅଧିକ ଘନିଭୂତ ହେବା ନେଇ ଅନୁକୂଳ ବାତାବରଣ ରହିଛି । ଏପଟେ ରବିବାର ଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ବିଶେଷ କରି ଉପକୂଳ ଓ ଉତ୍ତର ଓଡ଼ିଶାରେ ଅଧିକ ବର୍ଷା ହେବା ସମ୍ଭାବନା ଥିବାରୁ ୟେଲୋ ୱାଣ୍ଣିଂ ଜାରି କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ବିଦେଶୀ ପାଣିପାଗ ଜିଏଫଏସ୍ ମଡେଲ ବାତ୍ୟା ନେଇ ଆକଳନ କରୁଥିବା ବେଳେ ୨୦ ତାରିଖରେ ଲଘୁଚାପ ଏବଂ ପରବର୍ତୀ ସମୟରେ ଅବପାତର ରୂପ ନେବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତେଣୁ ଅକ୍ଟୋବର ମାସରେ ଏକ ବାତ୍ୟା ନେଇ ଯେଉଁ ଆଶଙ୍କା ରହିଛି, ତାହା ଦୂର ହୋଇନାହିଁ । ୨୦ ତାରିଖ ବେଳକୁ ବାତ୍ୟା ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କହିଛନ୍ତି ପାଣିପାଗ ବିଜ୍ଞାନୀ ଶରତ ସାହୁ । ସ୍ଥିତି, ଗତି, ବେଗ ଆଦି ସ୍ପଷ୍ଟ ହେବ । ଅକ୍ଟୋବର ବାତ୍ୟା ଋତୁ । ଏହି ସମୟରେ ବାତ୍ୟା ହେଲେ ରି-କର୍ଭ ହେବା ସମ୍ଭାବନା ରହିଥାଏ । ଆନ୍ଧ୍ର, ଓଡ଼ିଶା, ପଶ୍ଚିମବଙ୍ଗ, ବାଂଲାଦେଶରେ ଲ୍ୟାଣ୍ଡଫଲ ହୋଇଥାଏ । ୨୦୧୩ ଅକ୍ଟୋବର ମାସରେ ବାତ୍ୟା ‘ଫାଇଲିନ୍’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିଥିଲା ବୋଲି କହିଛନ୍ତି ଶରତ ସାହୁ ।

Advertisment