କନକ ବ୍ୟୁରୋ: ସୋସିଆଲ ମିଡିଆରେ ଏହି ଫଟୋ ଯେତିକି ଭାଇରାଲ ହେଉଛି । ଦୁଇ ପ୍ରଶାସନିକ ଅଧିକାରୀଙ୍କ ପ୍ରେମ କାହାଣୀକୁ ନେଇ ସେତିକି ଚର୍ଚ୍ଚା ବି ହେଉଛି । ଫଟୋରେ ଅଛନ୍ତି ସମ୍ବଲପୁର ଜିଲ୍ଲାପାଳ ଚଞ୍ଚଳ ରଣା ଓ ବଲାଙ୍ଗିର ଜିଲ୍ଲାପାଳ ଅନନ୍ୟା ଦାସ । ଶୀଘ୍ର ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗିର ଜିଲ୍ଲାପାଳ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ରବିବାର ସମ୍ବଲପୁରରେ ଉଭୟଙ୍କ ପରିବାରବର୍ଗ, ଘନିଷ୍ଠ ବନ୍ଧୁ ଓ କିଛି ପ୍ରଶାସନିକ ଅଧିକାରୀଙ୍କ ଗହଣରେ ନିରାଡମ୍ବର ଭାବେ ସମ୍ପନ୍ନ ହୋଇଛି ନିର୍ବନ୍ଧ କାର୍ଯ୍ୟ । ଅତ୍ୟନ୍ତ ଗୋପନୀୟ ଢଙ୍ଗରେ ହୋଇଥିବା ଦୁଇ ଆଇଏଏସଙ୍କ ନିର୍ବନ୍ଧ ସମୟର କିଛି ଫଟୋ ସାମ୍ନାକୁ ଆସିବା ପରଠୁ ଚର୍ଚ୍ଚା ବଢିଛି । ଖାଲି ଏତିକି ନୁହେଁ ନିର୍ବନ୍ଧ ପୂର୍ବରୁ ଚଞ୍ଚଳ ଓ ଅନନ୍ୟା ନିଜେ ଗହଣା ଦୋକାନକୁ ଯାଇ ସୁନାଗହଣା କିଣିଥିବା କୁହାଯାଉଛି ।

Advertisment

ସମ୍ବଲପୁର ଜିଲ୍ଲାପାଳ ଓ ବଲାଙ୍ଗିର ଜିଲ୍ଲାପାଳ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଥିବା ବେଳେ ଉଭୟଙ୍କର ଏହା ଦ୍ୱିତୀୟ ବିବାହ । ଦୁହେଁ ପୂର୍ବରୁ ବିବାହ କରି ଦାମ୍ପତ୍ୟ ଜୀବନରେ ଅସଫଳ ହେବା ପରେ ଛାଡପତ୍ର ଦେଇଛନ୍ତି । ଆଉ ଏବେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଥିବାରୁ ଏହାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ଖାସ ସେଇଥିପାଇଁ ନିର୍ବନ୍ଧକୁ ଗୋପନୀୟ ରଖାଯାଇଥିବା କୁହାଯାଉଛି । ଆସାମର ଝିଅ ଅନନ୍ୟା ଦାସ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ୍. ଅଖତରଙ୍କୁ ବିବାହ କରିଥିଲେ । ମତଭେଦ କାରଣରୁ ଦୁହିଁଙ୍କର ନିକଟରେ ବିବାହ ବିଚ୍ଛେଦ ହୋଇଛି । ସେହିପରି ଓଡ଼ିଶାରେ ପଢ଼ିଥିବା ଚଞ୍ଚଳ ରାଣା ବର୍ତମାନର ରାୟଗଡ଼ା ଜିଲ୍ଲାପାଳ ସ୍ୱଧାଦେବ ସିଂହଙ୍କୁ ବିବାହ କରିଥିଲେ । ବୁଝାମଣା ଅଭାବରୁ ସେମାନେ ମଧ୍ୟ ପରସ୍ପରକୁ ଛାଡ଼ପତ୍ର ଦେଇଛନ୍ତି । ଏବେ ପରସ୍ପରକୁ ଜୀବନସାଥୀ ଭାବେ ବାଛିଛନ୍ତି ଚଞ୍ଚଳ ଓ ଅନନ୍ୟା । ପୁରୁଣା କଥା ଭୁଲି ନୂଆ ସଂସାର ଆରମ୍ଭ କରିବାକୁ ମନସ୍ଥ କରିଛନ୍ତି । ଆସନ୍ତା ୩ ମାସ ଭିତରେ ଦୁଇ ଆଇଏଏସ ଅଧିକାରୀଙ୍କ ବିବାହ ଅନୁଷ୍ଠିତ ହେବ ବୋଲି ତାଙ୍କ ନିକଟତମ ମହଲରୁ ଜଣାପଡିଛି ।