କନକ ବ୍ୟୁରୋ : ଏବେ ସବୁଠି ଚର୍ଚ୍ଚା ସୀମା ଓ ଓ ସଚିନଙ୍କ ପ୍ରେମକାହାଣୀ । ଏମାନଙ୍କ ପ୍ରେମକାହାଣୀ କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଉଠିଛି । କଥାରେ ରହିଛି ପ୍ରେମ ନା ଦେଖେ ରଙ୍ଗ ନା ରୂପ ନା ଦେଖେ ଜାତି, ଧର୍ମ ଓ ଦେଶ । ନିଜ ପ୍ରେମକୁ ପାଇବା ପାଇଁ ପାକିସ୍ତାନରୁ ଭାରତ ଚାଲିଆସିଛନ୍ତି ସୀମା ହାଲଦର । ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ପ୍ରେମିକ ସଚିନ ମୀଣାଙ୍କ ପାଇଁ ଭାରତକୁ ନିଜର ୪ ସନ୍ତାନ ସହ ସୀମା ଆସିଥିଲେ । ଆସନ୍ତୁ ଜାଣିବା ପାକିସ୍ତାନ ମହିଳା କିଭଳି ବିନା ଭିସା, ଅନୁମତି ସହ ଭାରତକୁ ଆସି ନିଜ ପ୍ରେମିକ ନିକଟରେ ପହଁଚିଥିଲେ ।

Advertisment

୨୦୧୯ ଲକଡାଉନ ସମୟରେ ପରସ୍ପର ସହ ସମ୍ପର୍କରେ ଆସିଥିଲେ ସୀମା ଓ ସଚିନ । ପବଜି ଖେଳରୁ ଏମାନେ ପରସ୍ପର ପ୍ରେମରେ ପଡିଥିଲେ । ସଚିନଙ୍କ ପ୍ରେମରେ ପଡିଥିବା ସୀମା ପାକିସ୍ତାନ ଛାଡି ଭାରତ ଆସିବାକୁ ସ୍ଥିର କରିଥିଲେ । ମାର୍ଚ୍ଚ ମାସରେ ନେପାଳର ପଶୁପତି ମନ୍ଦିରରେ ବିବାହ କରିଥିଲେ ସୀମା ଓ ସଚିନ । ୭ଦିନ ଏକାଠି ରହିବା ପରେ ସଚିନ ନିଜ ଘରକୁ ଓ ସୀମା ପାକିସ୍ତାନ ଫେରି ଆସିଥିଲେ । ମେ ମାସରେ ସୀମା ନିଜ କରାଚୀ ଘରକୁ ୧୨ ଲକ୍ଷ ଟଙ୍କାରେ ଘରକୁ ବିକ୍ରି କରି ୪ଜଣ ସନ୍ତାନଙ୍କ ସହ କରାଚୀରୁ ଆବୁଧାବି ପରେ ଆବୁଧାବିରୁ ନେପାଳ ବିମାନଯାତ୍ରା କରି ଆସିଥିଲେ । ପରେ ନେପାଳରୁ ବସ ଯୋଗେ ଦିଲ୍ଲୀ ଆସିଥିଲେ ସୀମା ।
ସଚିନଙ୍କ ପରିବାର ଏସବୁ ଜାଣିବା ସହ ସୀମାକୁ ବୋହୁ ଭାବେ ଗ୍ରହଣ କରିଥିଲେ । କୋର୍ଟରେ ବିବାହ କରିବାକୁ ଯୋଜନା କରିଥିବା ବେଳେ କୌଣସି ସୁତ୍ରରୁ ପୁଲିସ ଏସବୁ ସୂଚନା ପାଇଥିଲା । ଭାରତରେ ବିନା ଭିସା ଓ ବେଆଇନ ପ୍ରବେଶ ଓ ବିବାହ କରିଥିବା ଅଭିଯୋଗରେ ସୀମା, ସଚିନଙ୍କୁ ପୁଲିସ ଗିରଫ କରିଥିଲା । ତେବେ ୫ଦିନର ଜେଲରେ ରହିବା ପରେ ଏବେ ସେମାନଙ୍କୁ ସର୍ତମୂଳକ ଜାମିନ ମିଳିଛି ।

ନିଜ ସ୍ୱାମୀ, ପିଲାଛୁଆଙ୍କ ସହ ଶାଶୁ ଘରେ ଖୁସିରେ ଅଛନ୍ତି ଓ ପାକିସ୍ତାନ ଫେରିବାକୁ ଚାହୁଁନଥିବା ସୀମା କହିଛନ୍ତି । ଭାରତରେ ରହିବା ପାଇଁ ଅନୁମତି ଦେବାକୁ ଉଭୟ କେନ୍ଦ୍ର ଓ ଉତରପ୍ରଦେଶ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି ସୀମା । ସେପଟେ ସୀମାଙ୍କ ପ୍ରଥମ ସ୍ୱାମୀ ଗୁଲାମ ହାଇଦର ତାଙ୍କୁ ପାକିସ୍ତାନ ଫେରାଇ ଆଣିବାକୁ ଅପିଲ କରିଛନ୍ତି ।
ପାକିସ୍ତାନ ସିନ୍ଧ ପ୍ରାନ୍ତର ସୀମା ବିବାହ ପରେ କରାଚିରେ ନିଜର ୪ଟି ସନ୍ତାନ ସହ ରହୁଥିଲେ । ସ୍ୱାମୀ ଗୁଲାମ ହାଇଦର ଆବୁଧାବିରେ ରହୁଥିବାବେଳେ ୨୦୧୮ ମସିହାରୁ ସେମାନଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇସାରିଛି । ଆଉ ଏବେ ସଚିନ ଓ ସୀମାଙ୍କ ସାତଦରିଆ ପ୍ରେମ କାହାଣୀ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।