ହାଇପ୍ରୋଫାଇଲ ସିଟ୍ ଉପରେ ନଜର: ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା

167

କନକ ବ୍ୟୁରୋ: ଶେଷ ପର୍ଯ୍ୟାୟ ନିର୍ବାଚନରେ ବହୁ ହେଭିୱେଟ୍ ନେତାଙ୍କ ଭାଗ୍ୟ ପରୀକ୍ଷା ହେବ । କିଏ ଜିତିବ, କିଏ ହାରିବ, ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । କାରଣ ଏହି ନିର୍ବାଚନ ହୁଏତ କିଛି ବରିଷ୍ଠ ନେତାଙ୍କ ଭବିଷ୍ୟତ ସ୍ଥିର କରିବ । ଏହାରି ଭିତରେ କିଛି ଫିଲ୍ମ ଷ୍ଟାରଙ୍କ ପାଇଁ ମଧ୍ୟ ଅଗ୍ନିପରୀକ୍ଷା ହେବାକୁ ଯାଉଛି ।

ରାତି ପାହିଲେ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପଡ଼ିବ ଭୋଟ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ସଂସଦୀୟ କ୍ଷେତ୍ର ସହିତ ୪୨ ବିଧାନସଭା ଆସନ ପାଇଁ ମତଦାନ ହେବ । ଅନେକ ହେଭିୱେଟ୍ ନେତାଙ୍କର ଭାଗ୍ୟ ପରଖିବେ ଜନତା ଜନାର୍ଦ୍ଦନ ।

ବାଲେଶ୍ୱର
ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନା, ଲେଖାଶ୍ରୀ ସାମନ୍ତସିଂହାରଙ୍କ ଭାଗ୍ୟ ପରଖିବେ ବାଲେଶ୍ୱରବାସୀ । ଯାହାଙ୍କର ଜିତିବା ହାରିବା, ରାଜ୍ୟ ରାଜନୀତିରେ ପକାଇବ ବଡ଼ ପ୍ରଭାବ ।

ଚାନ୍ଦବାଲି
ରାଜ୍ୟ ବିଜେପି ସଭାପତି ବନାମ ଯୁବ ବିଜେଡି ସଭାପତିଙ୍କ ମଧ୍ୟରେ ଘମାଘୋଟ ଲଢ଼େଇ ହେବ । ତେଣୁ ଉଭୟଙ୍କ ପାଇଁ ଏହି ଆସନ ସମ୍ମାନର ପ୍ରଶ୍ନ ପାଲଟିଛି ।

ଭଦ୍ରକ
ଭଦ୍ରକ ବିଧାନସଭା ଆସନରେ ବିଜେଡିର ହେଭିୱେଟ୍ ନେତା ପ୍ରଫୁଲ୍ଲ ସାମଲଙ୍କର ଭାଗ୍ୟ ପରୀକ୍ଷା ହେଉଥିବା ବେଳେ ଭଣ୍ଡାରୀପୋଖରୀ ଆସନରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଇଦାନରେ ବଳ କଷୁଛନ୍ତି ।

ମୟୂରଭଞ୍ଜ
ମୟୂରଭଞ୍ଜ ସଂସଦୀୟ କ୍ଷେତ୍ରରେ ସୁଦାମ ମାର୍ଣ୍ଡି ଓ ନବଚରଣ ମାଝିଙ୍କ ମଧ୍ୟରେ ଲଢ଼େଇ ହେଉଛି । ଏମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ପ୍ରଚାର ମଇଦାନକୁ ଓହ୍ଲାଇଥିଲେ । ତେଣୁ ଏହି ଆସନ ପାଇଁ ଗୁରୁତ୍ୱ ବେଶ ବଢ଼ିଯାଇଛି ।

କେନ୍ଦ୍ରାପଡ଼ା
ଓଡ଼ିଶା ରାଜନୀତିର ବଡ଼ ପଲିଟିକାଲ ହଟସ୍ପଟ ପାଲଟିଛି କେନ୍ଦ୍ରାପଡ଼ା । ମଇଦାନରେ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେଉଛନ୍ତି ଅଂଶୁମାନ ମହାନ୍ତି । ସେପଟେ ମହାକାଳପଡ଼ାରେ ଅତନୁ ସବ୍ୟସାଚୀଙ୍କର ଭାଗ୍ୟ ପରୀକ୍ଷା ହେଉଛି ।

ଅଭିନେତାରୁ ନେତା ପାଲଟିଥିବା ଫିଲ୍ମ ଷ୍ଟାର ମଧ୍ୟ ମଇଦାନରେ ରୋଚକ ଲଢ଼େଇ କରିବାକୁ ଯାଉଛନ୍ତି । ବଡ଼ଚଣାରେ ବର୍ଷା ପ୍ରିୟଦର୍ଶିନୀ, କୋରେଇରୁ ଆକାଶ ଦାସନାୟକ ଓ ସାଲେପୁରରେ ଅରିନ୍ଦମ ରୟଙ୍କର ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି ।

ବିଂଝାରପୁରରେ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଭାଗ୍ୟ ପରୀକ୍ଷା ହେଉଥିବା ବେଳେ କେନ୍ଦ୍ରାପଡ଼ାରେ କଂଗ୍ରେସ ଛାଡ଼ିରେ ବିଜେଡିରୁ ଲଢ଼ୁଥିବା ଗଣେଶ୍ୱର ବେହେରା ସମ୍ମାନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି ।

୨୦୧୯ରେ ୪୨ ବିଧାନସଭା ଆସନରୁ ୩୩ ଆସନରେ ବିଜେଡି ବାଜିମାତ କରିଥିଲା ବେଳେ ୯ଟି ଆସନରେ ଜିତିଥିଲା ବିଜେପି । ସେହିପରି ୬ ଲୋକସଭା ଆସନରୁ ବିଜେଡି ୪ ଓ ବିଜେପି ୨ଟି ଆସନରେ ବିଜୟୀ ହୋଇଥିଲା ।