ବେଲୁନ ବାଲା ମୁଁ ବେଲୁନ ବାଲା… ବଡଦାଣ୍ଡର କୁନି ବେଲୁନ ବାଲା ପାଇଁ ଗୀତ ଗାଇଲା କୁନିପୁଅ । ପେଟ ପାଇଁ ସଙ୍ଘର୍ଷ କରୁଥିବା ମୁରଲୀ ପାଇଁ ସ୍ୱର ସଜାଇଲା ସ୍ୱରୂପ ।

730

କନକ ବ୍ୟୁରୋ: ବଡଦାଣ୍ଡର କୁନି ବେଲୁନ ବାଲା ପରି ଇଏ ବି ଜଣେ କୁନି ପିଲା । ବେଲୁନ ବିକୁଥିବା ପିଲା ଦେହରେ ମଇଳା ଜାମା, ତେଲ ବିନା ମୁଣ୍ଡ ନୁଖୁରା ଆଉ ଜୋତା ନଥିବାରୁ ଖାଲି ପାଦ । ଏ ପିଲାଟି ପରିସ୍କାର ପୋଷାକ ପିନ୍ଧିଛି, ମୁହଁରେ ମାସ୍କ ଆଉ ପାଦରେ ଜୋତା ପିନ୍ଧିଛି । ପୋଷାକ ପରିପାଟ୍ଟୀରେ ଦୁହେଁ ଭିନ୍ନ ହୋଇଥିଲେ ହେଁ ବୟସ କିନ୍ତୁ ସମାନ । ସିଏ ଦାରିଦ୍ର୍ୟତାରେ ବଢୁଛି, ଇଏ ଦାରିଦ୍ରତାକୁ ବୁଝୁଛି । ତା ନିରିହ ଆଖିରେ ଅଭାବୀର ଦୃଶ୍ୟ, ୟା ଆଖିରେ ଆପଣେଇ ନେବାର ଚିତ୍ର । ବଡଦାଣ୍ଡରେ ତାରି ପରି ଛୋଟ ପିଲାଟି ପାଠ ଛାଡି ବେଲୁନ ବିକୁଥିବାରୁ ସେ ଘଟଣା ତାକୁ ବ୍ୟଥିତ କରିଛି ଆଉ ଆବେଗରେ ପଡି ତାରି ବୟସର ବେଲୁନ ବିକାଳୀ ମୁରଲୀ ପାଇଁ ସ୍ୱର ସଜେଇ ସେ ଗୀତଟେ ଗାଇଛି…

ରାମ ସ୍ୱରୂପ ଶତପଥୀ । ବୟସ ୫ ବର୍ଷ । ଚନ୍ଦନପୁର ସରସ୍ୱତୀ ଶିଶୁ ମନ୍ଦିରରେ ପଢୁଥିବା ସ୍ୱରୂପ କନକ ନ୍ୟୁଜରେ ମୁରଲୀକୁ ବେଲୁନ ବିକୁଥିବାର କାହାଣୀ ଦେଖିଥିଲା । ଏତେ କମ ବୟସରେ ପେଟ ପୋଷିବାକୁ ବଡଦାଣ୍ଡରେ ସଙ୍ଘର୍ଷ କରୁଥିବାର ସେ ଚିତ୍ର ତା ହୃଦୟକୁ ତରଳେଇ ଦେଇଥିଲା । ସ୍ୱରୂପ ଘରେ ରହି ପାଠ ପଢୁଛି ହେଲେ ତାରି ବୟସର ପିଲା ହୋଇ ମୁରଲୀ ପାଠ ନପଢି ବେଲୁନ ବିକୁଛି । ଏଇ କଥା ତାକୁ ଗଭୀର ଆଘାତ ଦେଇଥିଲା ଆଉ ସେ ମୁରଲୀ ପାଇଁ ତା କୁନି ପାଟିରେ ଗୋଟେ କୁନି ଗୀତ ଗାଇଛି ।

ତେବେ ଗତ ମାସ ଆମେ ମୁରଲୀ ବାବଦରେ ଖବର ପ୍ରସାରଣ କରିଥିଲୁ । ରାଜସ୍ଥାନ କୋଟାର ୬ ବର୍ଷର ମୁରଲୀ କେମିତି ଷ୍ଟେସନରେ ରହି ବଡଦାଣ୍ଡରେ ବେଲୁନ ବିକୁଛି ଆଉ ନିଜ ଭବିଷ୍ୟତକୁ ଫିକା ଫିକା କରି ଅନ୍ୟର ଖୁସି ପାଇଁ ରଙ୍ଗୀନ ବେଲୁନ ପଇସା ବଦଳରେ ଦେଇଦେଉଛି ତାର ଦୃଶ୍ୟ ଦେଖାଇଥିଲୁ । ଗରିବି ପାଇଁ କଅଁଳ ବୟସର କରୁଣ ଚିତ୍ର, ତା ନିର୍ଭେଜାଲ ଆଖିରେ ସୁନେଲୀ ସ୍ୱପ୍ନକୁ ଭୋକ କେମିତି ଭସ୍ମ କରିଦେଛି ତାହା ଦେଖିଥିଲା ଓଡିଶା । ତେବେ ମୁରଲୀ ଠାରୁ ସବୁ ବେଲୁନ କିଣି ତାର ପାରିଶ୍ରମିକ ଦେଇଥିଲେ ଆମ ପ୍ରତିନିଧି ସୀମାଞ୍ଚଳ ପାଢୀ । ଆଉ ମୁରଲୀର ପାଠ ପଢା ପାଇଁ ମଧ୍ୟ ପ୍ରଶାସନ ସହ ଯୋଗାଯୋଗ କରାଯାଇଛି ।

ସେପଟେ ସାଆନ୍ତ ଦୁଆରେ ବେଲୁନ ବିକୁଥିବା ଏ ପିଲା ପାଖରୁ ନିଜ ପିଲାର ଖୁସି ପାଇଁ ଲୋକେ ବେଲୁନ କିଣି ନିଅନ୍ତି କିନ୍ତୁ କାହାକୁ ତା ଶୈଶବର ଯନ୍ତ୍ରଣା ଦେଖାଯାଏନି । କିନ୍ତୁ କୁନି ପିଲା ସ୍ୱରୂପ ମୋବାଇଲରେ ଦେଖି ବୁଝିପାରିଲା ତା ପରି ପିଲାଟିର କଷ୍ଟ । ଆଉ ସେ ଧାଇଁ ଆସିଲା ତାପାଖକୁ… କାରଣ ଶୈଶବ ସମସ୍ତଙ୍କ ପାଇଁ ସମାନ । ପିଲାମାନେ ସବୁବେଳେ କଳକଳ, ଛଳଛଳ, ଠିକ୍ ଏଇ ଖିଲିଖିଲି ହସର ଇମୋଜି ପରି…