ଏମିତି ଜଣେ ନେତା, ଯିଏକି ଭାରତର ଅର୍ଥମନ୍ତ୍ରୀ ଓ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଜାଣନ୍ତୁ କେମିତି ?

418

କନକ ବ୍ୟୁରୋ : ଅଖଣ୍ଡ ଭାରତକୁ ଦୁଇଭାଗ କରି ପାକିସ୍ତାନ ଗଠନ କରିବା ଦିଗରେ ପ୍ରମୁଖ ଭୂମିକା ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର ଥିଲା ବୋଲି କୁହାଯାଏ । ମାତ୍ର ଭାରତକୁ ଭାଗ ଭାଗ କରିବା ଦିଗରେ ଆଉଜଣେ ନେତା ରହିଛନ୍ତି, ଯାହାଙ୍କ ନାମ ଲିୟାକତ ଅଲ୍ଲୀ ଖାନ ।

ଲିୟାକତ ଅଲ୍ଲୀ ଖାନ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ । ସେ ପ୍ରଧାନମନ୍ତ୍ରୀ ପଦ ଛାଡିବାର କିଛିଦିନ ପରେ ଆଜିର ଦିନରେ ତାଙ୍କୁ ହତ୍ୟା କରାଯାଇଥିଲା । ଏହି ରାଜନେତାଙ୍କ ବାବଦରେ ଚମକାଇଦେବା ଭଳି ଖବର ହେଉଛି ଯେ ସେ କେବଳ ପାକିସ୍ତାନର ସର୍ବୋଚ୍ଚ ପଦ ପର୍ଯ୍ୟନ୍ତ ପହଂଚି ନଥିଲେ ଏହାସହ ସେ ଭାରତ ସରକାରରେ ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ।

ଭାରତର ସ୍ୱାଧୀନତା ପାଇଁ ଯେତେବେଳେ ବ୍ରିଟିସ ସରକାରଙ୍କ ସହିତ ବୁଝାମଣା ଓ ଆଲୋଚନା ଚାଲିଥିଲା ସେତେବେଳେ ଭାରତର ଅନ୍ତରୀଣ ସରକାରରେ ଲିୟକତ ଅଲ୍ଲୀ ଖାନ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଉଥିଲେ । ସେତେବେଳେ ଭାରତର ଅନ୍ତରୀଣ ସରକାରରେ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଥିଲେ । ଯିଏ କି ସ୍ୱାଧୀନତା ପରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଥିଲେ ।

ଅନ୍ୟପଟେ ଭାରତ ବିଭାଜିତ ହେବା ପରେ ପାକିସ୍ତାନର ପ୍ରଥମ ପ୍ରଧାନମନ୍ତ୍ରୀ ଭାବେ ଲିୟାକତ ଅଲ୍ଲୀ ଖାନ ଦାୟିତ୍ୱ ସମ୍ଭାଳିବା ସହ ବିଦେଶ ଓ ରକ୍ଷା ମନ୍ତ୍ରଣାଳୟର ଦାୟିତ୍ୱ ବି ସମ୍ଭାଳିଥିଲେ । ପାକିସ୍ତାନ ଗଣମାଧ୍ୟମର ସୂଚନା ମୁତାବକ ୪ ବର୍ଷରୁ ଅଧିକ ସମୟ ପାକିସ୍ତାନର ପ୍ରଧାନମନ୍ତ୍ରୀ ରହିଥିବା ଲିୟକତ ଅଲ୍ଲୀ ଖାନଙ୍କୁ ୧୯୫୧ ଅକ୍ଟୋବର ୧୬ ତାରିଖରେ ରାୱଲପିଣ୍ଡ ଠାରେ ହତ୍ୟା କରାଯାଇଥିଲା । ସେତେବେଳେ ପାକିସ୍ତାନ ସରକାର ତାଙ୍କୁ ସହିଦର ମାନ୍ୟତା ଦେଇଥିଲେ ।

କହିରଖୁ କି ୧୯୪୭ ରେ ଦେଶକୁ ସ୍ୱାଧିନତା ମିଳିବା ପୂର୍ବରୁ ଗଠନ ହୋଇଥିବା ଅନ୍ତରୀଣ ସରକାରରେ ଲିୟାକତ ଅଲ୍ଲୀ ଖାନ ଅର୍ଥମନ୍ତ୍ରୀ ରହି ବଜେଟ ବି ଉପସ୍ଥାପନ କରିଥିଲେ । ହେଲେ ଭାରତ ଓ ପାକିସ୍ତାନ ଅଲଗା ହେବା ପରେ ଲିୟକତ ଅଲ୍ଲୀ ଖାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଭାରତ ଉପରେ ଆକ୍ରମଣ ହୋଇଥିଲା । ଖାନ୍ ଚାହିଁଥିଲେ ପାକିସ୍ତାନ ସେନା ଏହି ଆକ୍ରମଣକୁ ରୋକି ପାରିଥାନ୍ତା, ହେଲେ ଲିୟାକତ ଅଲ୍ଲୀ ଖାନ ସେଭଳି କିଛି କରି ନଥିଲେ ।