କନକ ବ୍ୟୁରୋ : ଆଜି ପ୍ରଚାରର ଶେଷ ଦିନ । ଭୋଟରଙ୍କୁ ମନେଇବାକୁ ଆଜି ଶେଷ ପ୍ରୟାସ କରୁଛନ୍ତି ରାଜନୈତିକ ଦଳ । ସକାଳୁ ସକାଳୁ ବିଜେଡି ପ୍ରାର୍ଥୀ ଦୀପାଳି ଦାସ, ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଏବଂ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରଚାର କରୁଛନ୍ତି । ଗାଁକୁ ଗାଁ, ଡୋର ଟୁ ଡୋର କ୍ୟାମ୍ପେନ କରୁଛନ୍ତି ତିନି ଦଳର ପ୍ରାର୍ଥୀ ।

Advertisment

ଗତକାଲି ବିଜେଡି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ବିଜେପି ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର କରିଥିଲେ । ଆଜି ମଧ୍ୟ ତିନି ଦଳର ଷ୍ଟାର ପ୍ରଚାରକ ମୈଦାନକୁ ଓହ୍ଲାଇ ପ୍ରଚାର କରୁଛନ୍ତି । ଆଜି ସଂଧ୍ୟାରେ ନିର୍ବାଚନ ପ୍ରଚାର ଶେଷ ହେବା ପରେ ନେତାଙ୍କର ଅନ୍ଧାରିବିଜେ ଆରମ୍ଭ ହେବ । ଏହାସହିତ ୪୮ ଘଂଟିଆ କୁଲିଂ ପିରିଅଡ ମଧ୍ୟ ଆରମ୍ଭ ହେବ । ଏହି ସମୟରେ ବାହାର ଲୋକଙ୍କୁ ନିର୍ବାଚନ କ୍ଷେତ୍ର ଛାଡି ଯିବାକୁ ହେବ ।

ତେବେ ପ୍ରଚାର ସମୟରେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ କହିଛନ୍ତି, ଝାରସୁଗୁଡାର ସାଧାରଣ ଜନତା ୨୪ବର୍ଷର ଏକ ଅନ୍ୟାୟ ସରକାରଙ୍କ ବିରୋଧରେ ଲଢେଇ କରୁଛନ୍ତି । ଏହି ପ୍ରଚାରରେ ସାଧାରଣ ଜନତା ହିଁ ବିଜେପିର ମଙ୍ଗ ଧରିଛନ୍ତି । ଗତକାଲି ମୁଖ୍ୟମନ୍ତ୍ରୀ ଝାରସୁଗୁଡା ଆସିଥିଲେ । ଝାରସୁଗୁଡାବାସୀ ଆଶା କରିଥିଲେ ମୁଖ୍ୟମନ୍ତ୍ରୀ ଆଶ୍ୱସନା ଦେବେ କିନ୍ତୁ ଏଠି ଅନେକ ସମସ୍ୟା ଥାଇ ମଧ୍ୟ ଜନତାଙ୍କୁ କୌଣସି ଆଶ୍ୱସନା ମିଳିଲା ନାହିଁ । ମୁଖ୍ୟମନ୍ତ୍ରୀ ଏଠି ଜନତାଙ୍କୁ ଲଣ୍ଠନ ଦେଖାଇ ଯାଇଛନ୍ତି । ଆଗାମୀ ଦିନରେ ଜନତା ଏହାର ଜବାବ ଦେବେ ।

ସେହିଭଳି ପ୍ରଚାର ସମୟରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ କହିଛନ୍ତି, ପ୍ରଚାର ଜୋରଦାର ଚାଲିଛି । ବିଜେଡି ସବୁବେଳେ ନମ୍ବର ୱାନ୍ ହୋଇ ରହିଛି । ବାପା ବିଧାୟକ ଥିଲା ବେଳେ ଭଲ ମାର୍ଜିନରେ ଜିତିଥିଲେ । ଯଦି ଜନସାଧାରଣ ଚାହିଁବେ ତାହେଲେ ବାପାଙ୍କଠୁ ଅଧିକ ଭୋଟରେ ଜିତିବି । ବିଜୁ ଜନତା ଦଳ ହେଉଛି ବିକାଶର ଦଳ । ଏହା ଲୋକେ ଜାଣିସାରିଲେଣି ଏବଂ ଲୋକେ ନିଶ୍ଚିତ କରିସାରିଲେଣି କାହାକୁ ସମର୍ଥନ କରିବେ ।