ନାରଦା ଲାଂଚ ମାମଲାରେ ପଶ୍ଚିମବଙ୍ଗରେ ହାଇଡ୍ରାମା : ୨ଜଣ ମନ୍ତ୍ରୀ, ବିଧାୟକ ଓ ଜଣେ ପୂର୍ବତନ ମେୟରଙ୍କୁ ଗିରଫ ପରେ ଟିଏମସି କର୍ମୀଙ୍କ ହଙ୍ଗାମା

302

କନକ ବ୍ୟୁରୋ : ନାରଦା ଲାଂଚ ମାମଲାରେ ସିବିଆଇର କାର୍ଯ୍ୟାନୁଷ୍ଠାନ ପରେ ପଶ୍ଚିମବଙ୍ଗରେ ହାଇଡ୍ରାମା ଆରମ୍ଭ ହୋଇଛି । ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ପଶ୍ଚିମବଙ୍ଗର ଦୁଇଜଣ ମନ୍ତ୍ରୀଙ୍କୁ ଉଠାଇ ନେଇଛି ସିବିଆଇ । ମମତା ସରକାରର ଦୁଇ ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କୁ ଗିରଫ କରିଛି କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ।

ସେହିପରି ବିଧାୟକ ମଦନ ମିତ୍ର ଓ କୋଲକାତାର ପୂର୍ବତନ ମେୟର ଶୋଭନ ଚାଟାର୍ଜୀଙ୍କୁ ସିବିଆଇ ଗିରଫ କରିବା ପରେ ରାସତାକୁ ଓହ୍ଲାଇ ଆସିଛନ୍ତି ଟିଏମସି କର୍ମୀ ଓ ସମର୍ଥକ । ଏମାନେ ସିବିଆଇ ଅଫିସ ଆଗରେ କେନ୍ଦ୍ର ବିରୋଧୀ ନାରାବାଜି କରିବା ସହ ପୋଲିସ ଉପରକୁ ଟେକା, ପଥର ମାଡ କରିଛନ୍ତି । ଉତ୍ୟକ୍ତ ଲୋକଙ୍କୁ ଘଉଡାଇବା ପାଇଁ ପୋଲିସ ପାଲଟା ଲାଠି ଚାଳନା କରିଛି । କିଛିଦିନ ତଳେ ନାରଦା ମାମଲାରେ ତଦନ୍ତ କରିବା ଲାଗି ସିବିଆଇକୁ ଅନୁମତି ଦେଇଥିଲେ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ।

ସେପଟେ, ସିବିଆଇ କାର୍ଯ୍ୟାଳୟକୁ ଆଣି ମନ୍ତ୍ରୀ ଫିରହାଦ ହକିମ ଓ ସୁବ୍ରତ ମୁଖାର୍ଜୀଙ୍କ ସହ ଟିଏମସି ବିଧାୟକ ମଦନ ମିତ୍ରଙ୍କୁ ଆଣି ଗିରଫ କରିନେବା ପରେ ରାଗି ନିଆଁବାଣ ହୋଇଯାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏମାନଙ୍କ ଗିରଫଦାରି ପରେ ପ୍ରଥମ ସିବିଆଇ କାର୍ଯ୍ୟାଳୟରେ ପହଂଚି ଗିରଫଦାରିକୁ ବିରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସିବିଆଇ ତାଙ୍କୁ ମଧ୍ୟ ଗିରଫ କରିବାକୁ ଆହ୍ୱାନ ଦେଇଛନ୍ତି ।

ମମତା ସିବିଆଇ ଅଫସିରେ ପହଂଚିବା ପରେ ବାହାରେ ଶହଶହ ଟିଏମସି କର୍ମୀଙ୍କ ଭିଡ ଲାଗି ଯାଇଥିଲା । କେନ୍ଦ୍ର ସରକାର ଓ ସିବିଆଇ ବିରୋଧରେ ନାରାବାଜି ଆରମ୍ଭ କରିଦେଇଥିଲେ ଟିଏମସି କର୍ମୀ ଓ ମମତାଙ୍କ ସମର୍ଥକ । ସେଠାରେ ମୁତୟନ ହୋଇଥିବା ସୁରକ୍ଷାକର୍ମୀଙ୍କ ଉପରକୁ ଟେକା, ପଥର ମାଡ କରିବା ସହ ବୋତଲ ଓ ଅନ୍ୟାନ୍ୟ ସାମଗ୍ରୀ ଫିଙ୍ଗିଥିଲେ । ଜବାବରେ କେନ୍ଦ୍ରୀୟ ସୁରକ୍ଷାକର୍ମୀ ମଧ୍ୟ ପାଲଟା ଲାଠି ଚାଳନା କରିଛନ୍ତି । ଟିଏମସି କର୍ମୀଙ୍କ ପଥର ମାଡକୁ ଟ୍ୱିଟ କରି ନିନ୍ଦା କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ । ଶାନ୍ତି ଶୃଙ୍ଖଳା ରକ୍ଷା କରିବାକୁ ସେ ଟିଏମସି କର୍ମୀ ଓ ସମର୍ଥକଙ୍କୁ ଅନୁରୋଧ କରିଛନ୍ତି ।