କନକ ବ୍ୟୁରୋ: ଆମକୁ ସୁରକ୍ଷା ଦିଅ , ଆମେ ବିପଦରେ ଅଛୁ । ଆମେ ଭାରତ ଫେରିବାକୁ ଚାହୁଁଛୁ । ଯେତେ ଜଲଦି ହେବ ଆମକୁ ଭାରତ ନେଇଯାଅ । ୟୁକ୍ରେନରୁ ଆସୁଛି ଏଭଳି ନିବେଦନ ଭରା ବାର୍ତ୍ତା । ଜୀବନ ଓ ମୃତ୍ୟୁ ଭିତରେ ବିତୁଛି ସମୟ । ଘର ଭିତରେ ଥିଲେ ବି ମୃତ୍ୟୁର ଭୟ ଘାରୁଛି । କେତେବେଳେ କେଉଁ ବୋମା କାହା ଘର ଉପରେ ପଡିବ ସେ ଖବର କାହାରି ପାଖରେ ନାହିଁ । ଗତ ଦୁଇ ଦିନ ହେବ ସବୁଠି ବୋମାମାଡ । ବୋମା ଶବ୍ଦରେ ଥରି ଯାଉଛି ଛାତି । ସମୟ ଯେତିକି ଗଡୁଛି ଭୟ ବି ସେତିକି ବଢୁଛି । ୟୁକ୍ରେନରେ ଥିବା ଓଡିଆ ଡାକ୍ତରୀ ଛାତ୍ରଛାତ୍ରୀ ସାହାଯ୍ୟ ପାଇଁ କରିଛନ୍ତି ନିବେଦନ । ଗ୍ୟାସ ପାଇପଲାଇନ ସଂଯୋଗ ବନ୍ଦ ହୋଇଯିବ । ପରେ କେବଳ ଶୁଖିଲା ଖାଦ୍ୟ ଉପରେ ସବୁ ନିର୍ଭର ଅଛନ୍ତି ।

Advertisment

ସେପଟେ ବିପଦ ଘେରରେ ପିଲାମାନେ ଆଉ ଓଡିଶାରେ ପିଲାଙ୍କର ଫେରିବା ବାଟକୁ ଚାହିଁ ବସିଛନ୍ତି ବାପା ମା । ଋଷିଆର ମିଜାଇଲ ଓ ବୋମାମାଡ଼ ଭିତରେ କେତେବେଳେ କ’ଣ ଘଟିବ ତାକୁ ନେଇ ଚିନ୍ତାରେ ଅଛନ୍ତି । ପିଲାମାନଙ୍କ ସହ ବାପା-ମା ତାଙ୍କୁ ଭିଡିଓ କଲ ମାଧ୍ୟମରେ ଆଶ୍ୱାସନା ଦେଉଛନ୍ତି ।

ୟୁକ୍ରେନର ବିଭିନ୍ନ ଅଞ୍ଚଳ ସିଲ ହୋଇଯାଇଥିବାବେଳେ ବିଭିନ୍ନ ଅଞ୍ଚଳକୁ ଯାତାୟତ ବନ୍ଦ ହୋଇଯାଇଛି । ଏଭଳି ପରିସ୍ଥିତିରେ ବ୍ୟସ୍ତ ନହେବାକୁ ପରାମର୍ଶ ଦେଇଛନ୍ତି ଭାରତୀୟ ରାଷ୍ଟ୍ରଦୁତ । ତେବେ ୟୁକ୍ରେନରେ ଫସିଥିବା ଓଡିଆଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଗୃହମନ୍ତ୍ରୀ ଶାହଙ୍କ ସହ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଋାଜ୍ୟ ସରକାର ନିଜ ଖର୍ଚ୍ଚରେ ସେମାନଙ୍କୁ ଓଡିଶା ଫେରାଇ ଆଣିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ଏହାସହ ନୂଆଦିଲ୍ୀ ସ୍ଥିତ ଆବାସିକ କମିଶନଙ୍କ କାର୍ଯ୍ୟାଳୟରେ ଏକ ସହାୟତା କେନ୍ଦ୍ର ଖୋଲାଯାଇଛି । ଏହାର ନୋଡାଲ ଅଫସିର ଦାୟିତ୍ୱରେ ଅଛନ୍ତି କମିଶନର ରବି କାନ୍ତ ।