ରାଜ୍ୟର ବିଭିନ୍ନ ସ୍ଥାନରେ ଚନ୍ଦ୍ରରେ ଦେଖାଗଲା ବଳୟ । ଜାଣନ୍ତୁ, କାହିଁକି ଚନ୍ଦ୍ର ଚାରିପାଖେ ଦେଖାଯାଏ ଏମିତି ବିରଳ ଦୃଶ୍ୟ?

1,087

କନକ ବ୍ୟୁରୋ : ଆଜି ସନ୍ଧ୍ୟାରେ ଚନ୍ଦ୍ର ଚାରିପାଖେ ଏକ ବଳୟ ସୃଷ୍ଟି ହୋଇଥିଲା । ଇନ୍ଦ୍ରଧନୁ ରଙ୍ଗର ଏହି ବଳୟ ରାଜ୍ୟର ଅନେକ ସ୍ଥାନରେ ଦେଖାଯିବାର ଖବର ମିଳିଛି । ଏହା ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଦେଖାଯାଇଛି । ତେବେ ଏହି ଦୃଶ୍ୟ କାହିଁକି ଘଟୁଛି? ଏହା ପଛରେ କଣ ରହିଛି କାରଣ? ଏମିତି ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ସୃଷ୍ଟି ହୋଇଛି । ତେବେ ଆସନ୍ତୁ ଜାଣିବା ଏହା ପଛରେ କଣ ରହିଛି କାରଣ ।

ପ୍ରକୃତରେ ଏହା ମେଘ ଓ ଆଲୋକ ଦ୍ୱାରା ଏକ ଅସାଧାରଣ ଦୃଶ୍ୟ । ଯାହାକୁ ଆମ ଆଖିର ଏକ ଦୃଷ୍ଟି ଭ୍ରମରୁ ସୃଷ୍ଟି ହୁଏ ବୋଲି କୁହାଯାଇପାରେ । ଏପରି ବଳୟ ଗୋଟିଏ ବର୍ଷରେ ଶହେରୁ ଅଧିକ ଥର ଘଟିଥାଏ । ଏପରିକି ବେଳେବେଳେ ଚନ୍ଦ୍ର ଓ ସୂର୍ଯ୍ୟ ଚାରିପାଖେ ଏପରି ବଳୟ ସୃଷ୍ଟି ହୋଇଥାଏ ।

ଆମ ବାୟୁମଣ୍ଡଳରେ ଥିବା ମେଘ ଗୁଡିକ ଛୋଟ ଛୋଟ ବରଫ ସ୍ଫଟିକରେ ତିଆରି । ବରଫ ସ୍ଫଟିକ ଗୁଡିକ ଖୁବ ପତଳା ଓ ଷଡଭୁଜ ଆକାରର । ଏହି ଷଡଭୁଜ ସ୍ଫଟିକ ଗୁଡିକ ଯୋଡି ହୋଇ ରହିଥିବା ଦୁଇଟି ପ୍ରିଜିମ୍୍ ଭଳି କାର୍ଯ୍ୟ କରେ । ଫଳରେ ଏହି ବରଫ ସ୍ଫଟିକ ମାଧ୍ୟମରେ ସୂର୍ଯ୍ୟ ଆଲୋକ ଗତି କଲାବେଳେ ପ୍ରତିଶରିତ ହୋଇ ୨୨ ଡିଗ୍ରୀ କୋଣରେ ବାଙ୍କି ହୋଇଯାଇଥାଏ । ଏଥି ସହ ଆଲୋକ ସାତ ରଙ୍ଗରେ ବିଭାଜିତ ହୋଇଥାଏ ।

ଏହାର କୌଣସି ପ୍ରଭାବ ପୃଥୀବି ଉପରେ ପଡେ ନାହିଁ । କିନ୍ତୁ ସାଧାରଣତଃ ବାୟୁମଣ୍ଡରେ ଝଡ ପୂର୍ବରୁ ମେଘ ପତଳା ହୋଇ ଖୁବ ଉପରକୁ ଉଠିଯାଏ ଓ ଗୋଟିଏ ଦିନ ପରେ ଏହା ତଳକୁ ଆସି ବହୁତ ବର୍ଷା କରିଥାଏ । ତେଣୁ ଚନ୍ଦ୍ର ବା ସୂର୍ଯ୍ୟ ଚାରିପାଖେ ବଳୟ ଦେଖାଗଲେ ପରବର୍ତ୍ତୀ ସମୟରେ ବର୍ଷା ହେବାର ସମ୍ଭାବନା ଥାଏ ।