କନକ ବ୍ୟୁରୋ: ପ୍ରବଳ ବର୍ଷା ପରେ ପରେ କେରଳ ସମେତ ୫ଟି ରାଜ୍ୟରେ ଦେଖିବାକୁ ମିଳିଛି ବନ୍ୟାର ବିଭିଷୀକା । ଆଜି ସୁଦ୍ଧା ମହାରାଷ୍ଟ୍ର ବନ୍ୟାମୃତ୍ୟୁ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି । ପଶ୍ଚିମ ମହାରାଷ୍ଟ୍ରର ବନ୍ୟା ପ୍ରଭାବିତ ୫ ଟି ଜିଲ୍ଲାରୁ ପ୍ରାୟ ୨ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । କେବଳ ସାଙ୍ଗଲି ଜିଲ୍ଲାରୁ ୮୦ ହଜାରରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରବଳ ବର୍ଷା ପରେ ପରେ ମହାରାଷ୍ଟ୍ରର କୋହ୍ଲାପୁର ଓ ସାଙ୍ଗଲି ଜିଲ୍ଲାରେ ବନ୍ୟାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ଆଜି ବର୍ଷା ଜାରି ରହିବ । ଏବେ ବି ୩୦ ହଜାରରୁ ୩୫ ହଜାର ଲୋକ ପାଣି ଘେରରେ ଫସି ରହିଛନ୍ତି । ସେମାନଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ନେଇ ଏନଡିଆରଏଫ୍ ଟିମ୍ ଯୁଦ୍ଧ କାଳୀନ ଭିତ୍ତିରେ କାମ କରୁଛି ।

Advertisment

publive-image

ମହାରାଷ୍ଟ୍ରର କ୍ରିଷ୍ଣା ନଦୀ ଓ ଏହାର ଉପନଦୀ ପଂଚଗଙ୍ଗା ଓ ଦୁଧ ଗଙ୍ଗାରେ ବନ୍ୟା କାରଣରୁ ଏବଂ କର୍ଣ୍ଣାଟକର ଅଲମାଟି ଡ୍ୟାମରେ ବର୍ଷା ପରେ ବଢୁଥିବା ଜଳସ୍ତରର ଫେରନ୍ତା ପାଣି କାରଣରୁ ସାଙ୍ଗଲି ଜିଲ୍ଲାରୁ ପାଣି ଖସୁନି । ସାଙ୍ଗଲିରେ ବନ୍ୟାର ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର ଆଲମାଟି ଡ୍ୟାମରୁ ୫ ଲକ୍ଷ କ୍ୟୁସେକ୍ ପାଣି ଛାଡିବା ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପାଙ୍କ ସହ କଥା ହୋଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ । ଆଜି ଅପରାହ୍ନରେ ଆଲମାଟି ଡ୍ୟାମରୁ ପାଣି ଛଡାଯିବା ପରେ ସାଙ୍ଗଲିରେ ବନ୍ୟା ସ୍ଥିତିରେ କିଛିଟି ସୁଧାର ଆସିବା ଆଶା କରାଯାଉଛି । ମହାରାଷ୍ଟ୍ରର ସାଙ୍ଗଲିରେ ଉଦ୍ଧାର କାମରେ ୨୧ଟି ଏନଡିଆରଏଫ୍, ଏସଡିଆରଏଫ୍, କୋଷ୍ଟଗାର୍ଡ, ଆର୍ମି ଓ ନେଭି ଟିମ୍ ସାମିଲ ହୋଇଛି । ସେହିପରି କୋହ୍ଲାପୁରରେ ୪୮ ଟିମ୍ ସାମିଲ ହୋଇଛି ।

ସେହିଭଳି ଆନ୍ଧ୍ରପ୍ରଦେଶରେ ବି ବନ୍ୟା ସ୍ଥିତି ବିଗିଡିବାରେ ଲାଗିଛି । ପାଣିର ମାତ୍ରା ବୃଦ୍ଧି ପାଉଥିବାରୁ ଲୋକେ ନାହିଁନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଶ୍ରୀକାକୁଲମରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ବନ୍ୟାପାଣିରେ ଭାସିଗଲା ପାର୍କ । ନଦୀକୂଳରେ ଥିବା ପାର୍କରେ ବନ୍ୟା ପାଣି ପଶିବା ପରେ ଭାସିଯାଇଛି ପାର୍କ ଭିତରେ ଥିବା ଜିରାଫ ଓ ହାତୀର ମୂର୍ତି । ଇଏ ହେଉଛି ସେହି ସମୟରେ ଦୃଶ୍ୟ । ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ ସିମେଂଟରେ ତିଆରି ହୋଇଥିବା ଏହି ଷ୍ଟାଚ୍ୟୁ ବି ଭାସିଯାଇଥିଲା ।

publive-image

ଅନ୍ୟପଟେ, ନର୍ମଦା ନଦୀରେ ଜଳ ସ୍ତର ବଢିବା ପରେ ମଧ୍ୟପ୍ରଦେଶରେ ମାଣ୍ଡଲାରେ ବନ୍ୟା ସ୍ଥିତି । ବର୍ଷା ଥମିନଥିବା ବେଳେ ବନ୍ୟା ପାଣି ଘେରକୁ ଆସିଛି ଅନେକ ଅଂଚଳ । ଆପଣ ଦେଖୁଥିବା ଚିତ୍ର ହେଉଛି ମଧ୍ୟପ୍ରଦେଶର ମାଣ୍ଡଲାର । ପାଣିର ସୁଅରେ ଭାସି ଯାଉଛି କାର । ପାଣିର ସୁଅ ହଠାତ୍ ଆସିବାରୁ ତା ଭିତରେ ଥିବା ଦୁଇ ଜଣ ଲୋକ ବି ବାହାରି ଆସି ପାରିନଥିଲେ । ଧୀରେ ଧୀରେ ପାଣି ବଢିବାରୁ ଦୁଇ ଜଣ ଲୋକ ପାଣି ଭିତରେ ଫସିଥିବା କାର ଉପରେ ଆଶ୍ରୟ ନେଇ ଉଦ୍ଧାର ଅପେକ୍ଷାରେ ରହିଛନ୍ତି । ସେପଟେ ବନ୍ୟା ପାଣିରେ ବିଭିନ୍ନ ସ୍ଥାନରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ଏନଡିଆରଏଫ୍ ଟିମ୍ ଉଦ୍ୟମ ଜାରି ରଖିଛି । କୌଣସି ସ୍ଥାନରୁ ସୂଚନା ଆସିବା ମାତ୍ରେ ଏନଡିଆରଏଫ୍ ଟିମ୍ ସେ ସ୍ଥାନକୁ ଯାଇ ଲୋକଙ୍କୁ ଉଦ୍ଧାର କରୁଛି ।