କନକ ବ୍ୟୁରୋ: ଜଣେ ମୋଟର ମେକାନିକଙ୍କର ଏକ ବଡ ଲଟେରୀ ଲାଗିଥିଲା । ରାତାରାତି ସେ କୋଟିପତି ହୋଇଯାଇଥିଲେ । ତେବେ ୨୫ କୋଟି ମିଳିବା ପୂର୍ବରୁ ସେ ମଦ ଦୋକାନରେ ଏହି ଲଟେରୀ ଟିକଟକୁ ଭୁଲି ଆସିଥିଲେ । ତେବେ ଏହା ପରେ ତାଙ୍କ ସହ ଯାହା ହେଲା ତାହା କିଛି ଫିଲ୍ମର କାହାଣୀଠାରୁ କିଛି କମ ନୁହେଁ ।

Advertisment

ଏହି ଘଟଣାଟି ଅମେରିକାର ମାସାଚୁସେଟ ଅଞ୍ଚଳର । ଲଟେରୀ ଜିତିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଲ ଲିଟିଲ । ସେ ଗତ ଜାନୁଆରୀ ମାସରେ ଏକ ଲଟେରୀ ଟିକଟ କିଣିଥିଲେ । ତେବେ ଭୁଲ ବଶତଃ ସେ ଏହାକୁ ମଦ ଦୋକାନରେ ଛାଡି ଘରକୁ ଚାଲିଆସିଥିଲେ । ତେବେ ଏହି ମଉକାରେ ସେହି ଦୋକାନରେ କାମ କରୁଥିବା ୨୩ ବର୍ଷୀୟା ଜଣେ ଯୁବତୀ ଟିକଟକୁ ନିଜ ପାଖରେ ରଖିଦେଇଥିଲେ ।

ଏପଟେ ପଲଙ୍କୁ ଲଟେରୀ ଅଫିସରୁ ଫୋନ ଆସିଥିଲା ସେ ୩ ମିଲିୟନ ଡଲାର ଅର୍ଥାତ ପାଖାପାଖି ୨୫ କୋଟି ଟଙ୍କାର ଜ୍ୟାକପଟ ଜିତିଛନ୍ତି । ଏହି ଖବର ଶୁଣିବା ପରେ ପଲଙ୍କ ପାଦତଳୁ ମାଟି ଖସିଯାଇଥିଲା । ସେ ସଙ୍ଗେ ସଙ୍ଗେ ମଦ ଦୋକାନକୁ ଯାଇଥିଲେ । ସେଠାରେ ସେ ଯୁବତୀଙ୍କୁ ଟିକଟ ବାବଦରେ ପଚାରିଥିଲେ ବି ସେ କିଛି କହିନଥିଲେ । ସେ ସଫା ସଫା ମନା କରିଥିଲେ ଯେ ଟିକଟ ବାବଦରେ ସେ କିଛି ଜାଣିନାହାନ୍ତି । ପଲ ସେଠାରୁ ନିରାଶ ହୋଇ ଫେରିଥିଲେ । କିନ୍ତୁ ସମ୍ପୃକ୍ତ ଯୁବତୀ ଏହି ମୌକାରେ ଲଟେରୀର ଟଙ୍କା ନେବା ପାଇଁ ସେହି ଅଫିସରେ ପହଞ୍ଚି ଯାଇଥିଲେ । ଏହାକୁ ଦେଖାଇ ସେ ଲଟେରୀ ପଇସା ନେବାକୁ ଉଦ୍ୟମ କଲେ । ତେବେ ସେଠାରେ ଥିବା ଅଧିକାରୀଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଥିଲା । ଟିକଟଟି ଚିରିଥିବା ବେଳେ ଏହାର କିଛି ଅଂଶ ଜଳିଯାଇଥିଲା ।

ପଚରା ଉଚରା ପରେ ଯୁବତୀ ଜଣଙ୍କ ମନଗଢା କାହାଣୀ କହିଥିଲେ । ତେବେ ତାଙ୍କର ଚୋରୀ କିଛି ସମୟ ମଧ୍ୟରେ ଧରାପଡିଥିଲା । ଦୋକାନର ସିସିଟିଭିରୁ ଟିକଟ ଚୋରୀର ଭିଡିଓ ସାମ୍ନାକୁ ଆସିଥିଲା । ଗତ ସପ୍ତାହରେ ଲଟେରୀର ଅସଲ ବିଜେତା ପଲଙ୍କୁ ତାଙ୍କ ପୁରସ୍କାର ବାବଦ ଅର୍ଥ ପ୍ରଦାନ କରାଯାଇଛି ।

ପଲ ମଧ୍ୟ ଅର୍ଥରାଶି ପାଇ ବେସ ଖୁସି ନଜର ଆସିଛନ୍ତି । ତେବେ ସେ ଏହି ଟଙ୍କା ନିଜର ଘରର ମରାମତିରେ ଖର୍ଚ୍ଚ କରିବେ ବୋଲି କହିଛନ୍ତି । ଏତେ ଟଙ୍କା ମିଳିବା ପରେ ବି ସେ ମେକାନିକ କାମ ଜାରି ରଖିବେ ବୋଲି କହିଛନ୍ତି ।