ଆବାସ ପାଇନାହାନ୍ତି ଆଶାୟୀ। ସୁନ୍ଦରଗଡର ୮୦ ବର୍ଷୀୟା ବୃଦ୍ଧାଙ୍କ କୋହ, ମଲେ କଣ ସମାଧିରେ ତିଆରି ହେବ ଘର?

239

କନକ ବ୍ୟୁରୋ: ମୋତେ ଏବେ ବୟସ ୮୦ ଛୁଇଁଲାଣି । କୁଡ଼ିଆରେ ରହୁଛି । ଆବାସ ତାଲିକାରେ ମୋ ନାଁ ନାହିଁ । ଘର ଖଣ୍ଡେ ପାଇଁ କେତେ ଗୁହାରି କରିଛି । ଯମ ହାତ ଠାରି ଡାକିଲାଣି । ମୁଁ ମଲେ କ’ଣ ମୋ ସମାଧି ପାଇଁ ଆବାସ ଦେବେ ସରକାର?

ସରକାର ଘର ପାଇଁ ଆଶା ରଖିଥିବା ଜଣେ ଆଶୟୀଙ୍କ ଏ ହେଉଛି କୋହ । ନାଁ ହୀରାବତୀ ଗର୍ଡିଆ । ବୟସ ପ୍ରାୟ ୮୦ ବର୍ଷ । ଘର ସୁନ୍ଦରଗଡ଼ ଜିଲ୍ଲା କିରେଇ ଗାଁରେ । ବୁଢ଼ୀ ମା’ଙ୍କ ଘର କହିଲେ, କିଛି ଖଣ୍ଡ କାଠ ଉପରେ ସାଇତା ହୋଇଥିବା ଆଜବେଷ୍ଟର୍ସ । ଘରର ଆସବାବପତ୍ର ହିଁ ବୟାନ କରୁଛି ହୀରାବତୀଙ୍କ ଆର୍ଥିକ ସ୍ଥିତି । ଆବାସ ଯୋଜନାରେ ଘର ଖଣ୍ଡେ ପାଇଁ ସମସ୍ତ ଯୋଗ୍ୟତା ଥିବା ସତ୍ୱେ ଘରଟିଏ ମିଳିପାରିନି । ପଞ୍ଚାୟତ ଅଫିସରରୁ ବ୍ଲକ୍ ଅଫିସ, ସବୁଠି ଗୁହାରି କରିଛନ୍ତି ହେଲେ ଏର୍ଯ୍ୟନ୍ତ ଘର ଖଣ୍ଡେ ମିଳିପାରିନି ।

ଆବାସ ଯୋଜନାରେ ଘରକୁ ନେଇ ଚାଲିଥିବା କଳି, ସାରା ଓଡ଼ିଶା ଦେଖିଛି । କେଉଁଠି କୋଠା ଥିବା ଲୋକଙ୍କ ନାଁରେ ଘର ଆସିଛି, ତ ଆଉ କେଉଁଠି ସରକାରୀ ଚାକିରି କରୁଥିବା ଲୋକଙ୍କ ନାଁ ହିତାଧିକାରୀ ତାଲିକାରେ ସ୍ଥାନ ପାଇଛି । କିନ୍ତୁ ଘର ଖଣ୍ଡେ ପାଇଁ ଯୋଗ୍ୟ ହିତାଧିକାରୀ କେମିତି ଘର ନପାଇ ହସ୍ତସନ୍ତ ହୁୁଅନ୍ତି, ତାର ଉଦାହରଣ ହେଉଛନ୍ତି କିରେଇ ଗାଁର ହୀରାବତୀ ।