ଉତରଭାରତରେ ପ୍ରଚଣ୍ଡ ଗ୍ରୀଷ୍ମଲହରୀ: କଲବଲ କରୁଛି ମୁଣ୍ଡଫଟା ଖରା ସାଙ୍ଗକୁ ତାତି । ଉତରପ୍ରଦେଶ, ବିହାରରେ ଶତାଧିକ ମୃତ

258

କନକ ବ୍ୟୁରୋ: ବିହାର ଉତରପ୍ରଦେଶରେ କାଳ ସାଜିଛି ହିଟୱେଭ । ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁଁ ଦୁଇ ରାଜ୍ୟରେ ଶତାଧିକ ଲୋକଙ୍କ ମୃତ୍ୟୁ ହେବା ସହ ୪ଶହ ଅଧିକ ଲୋକ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି । ମୁଣ୍ଡଫଟା ଖରା ସାଙ୍ଗକୁ ତତଲା ପବନରେ ସହି ନପାରି କିଏ ସନଷ୍ଟ୍ରୋକ ତ ପୁଣି କିଏ ହଇଜାର ଶିକାର ହେଉଛନ୍ତି । ସେପଟେ ମୃତ୍ୟୁ ସଂଖ୍ୟା ବୃଦ୍ଦି ପାଇବା ଯୋଗୁଁ ଉଭୟ ରାଜ୍ୟ ସରକାର ଏବେ ଚିନ୍ତାରେ ପଡିଛନ୍ତି ।

ଅସହ୍ୟ ତାତି, ଭୀଷଣ ଗରମ, ମୁଣ୍ଡଫଟା ଗ୍ରୀଷ୍ମ ପ୍ରବାହ । ଉତରପ୍ରଦେଶ ଓ ବିହାରରେ ରଚୁଛି କାଳ । ଭୀଷଣ ଗ୍ରୀଷ୍ମ ଯୋଗୁଁ ଉତରପ୍ରଦେଶରେ ୫୭ଜଣ ଓ ବିହାରରେ ୫୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ଖରା ଗରମ ଯୋଗୁଁ ଲୋକଙ୍କ ନିକଟରେ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେଇଛି । ଲକ୍ଷେ୍ନø ଓ ଅନ୍ୟାନ୍ୟ ଜିଲ୍ଲା ହସପିଟାଲରେ ଶହ ଶହ ସଂଖ୍ୟକ ଲୋକଙ୍କୁ ଭର୍ତି କରାଯାଉଛି । ଜୁନ ୧୫ରୁ ୧୮ ପର୍ଯ୍ୟନ୍ତ ଉତରପ୍ରଦେଶର ୫୭ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଖରା ଯୋଗୁଁ ଲୋକଙ୍କ ନିକଟରେ ମୁଖ୍ୟତଃ ଭାବେ ଜର, ଅଣନିଶ୍ୱାସୀ, ଛାତିରେ ଯନ୍ତ୍ରଣା, ହଇଜା ହୃଦଘାତ, ମସ୍ତିଷ୍କଘାତ ପରି ସମସ୍ୟା ଦେଖାଯାଉଛି । ମୃତ୍ୟୁବରଣ କରୁଥିବା ଅଧିକାଂଶ ଲୋକଙ୍କ ବୟସ ୬୦ବର୍ଷରୁ ଅଧିକ ବୋଲି ଜଣାପଡିଛି । ରୋଗୀ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଉଥିବାରୁ ଚିନ୍ତାରେ ରାଜ୍ୟ ସରକାର । ଉତରପ୍ରଦେଶ ଉପମୁଖ୍ୟମନ୍ତ୍ରୀ ବ୍ରିଜେଶ ପାଠକ ଡାକ୍ତରୀ ଟିମଙ୍କ ସହ ବୈଠକ କରି ସ୍ଥିତିର ସମୀକ୍ଷା କରୁଛନ୍ତି । ସେପଟେ ଘଟଣାକୁ ନେଇ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛି ସମାଜ ବାର୍ଦି ପାର୍ଟି । ସରକାରଙ୍କ ଦାୟିତ୍ୱହୀନତା ଲୋକଙ୍କ ପ୍ରାଣ ନେଉଥିବା କହିଛନ୍ତି ସପା ମୁଖ୍ୟ ଅଖିଳେଶ ଯାଦବ ।

ସେପଟେ ବିହାରରେ ମଧ୍ୟ କାଳ ସାଜିଛି ଖରା । ୩ଦିନ ଭିତରେ ୫୨ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟର ୪ଟି ସ୍ଥାନରେ ଗ୍ରୀଷ୍ମ ଲହରୀ ଓ ୧୮ଟି ସ୍ଥାନରେ ପ୍ରବଳ ଗ୍ରୀଷ୍ମ ଲହରୀ । ମୃତକଙ୍କ ମଧ୍ୟରେ ଅଧିଂକାଶ ପାଟଣା ସହରର ରହିଛନ୍ତି ।

କେବଳ ଉତରପ୍ରଦେଶ ଓ ବିହାର ନୁହେଁ ଭୀଷଣ ଖରା ଗରମରେ ଛଟପଟ ହେଉଛନ୍ତି ଅନେକ ରାଜ୍ୟ । ସେଥିମଧ୍ୟରେ ମହାରାଷ୍ଟ୍ର ଓଡିଶା, ଝାଡଖଣ୍ଡ, ଛତିଶଗଡ ମଧ୍ୟ ରହିଛି । ଆଉ କିଛି ଦିନ ଧରି ସମାନ ସ୍ଥିତି ରହିବା ନେଇ ଆକଳନ କରିଛି ଉଭୟ ରାଜ୍ୟ ଓ କେନ୍ଦ୍ର ପାଣିପାଗ ବିଭାଗ ।