ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରୁ ମିଳୁଛି ଭଲ ରୋଜଗାର

338

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ଦମ୍ପତ୍ତିଙ୍କ ଧଳା ଘୁଷୁରି ଚାଷ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାହିଟି ଗାଁର ଦମ୍ପତି ଲିଟନ ବେହେରା ଓ ଝୁନା ବେହେରା ଘୁଷୁରି ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି । ପୂର୍ବରୁ ଦେଶ ବିଦେଶରେ ବିଭିନ୍ନ ଘରୋଇ କମ୍ପାନୀରେ ଚାକିରି କରି ମୋଟା ଅଙ୍କର ଦରମା ପାଉଥିଲେ ଲିଟନ । ଏବେ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କିଛି ରୁଣ ନେଇ ଗାଁରେ କରିଛନ୍ତି ଧଳା ଘୁଷୁରୀ ଫାର୍ମ । ଦୁଇ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ଫାର୍ମରେ ୨ହଜାରରୁ ଅଧିକ ଘୁଷୁରି ଅଛନ୍ତି । ଜନ୍ମ ହେବାର ୭ ମାସ ଭିତରେ ଏମାନେ ବିକ୍ରି ଉପଯୋଗୀ ହେଉଛନ୍ତି । ମସକୁ ୨ରୁ ଅଢ଼େଇ ଲକ୍ଷ ଟଙ୍କା ରୋଜଗାର ହେଉଥିବା କହିଛନ୍ତି ଯୁବ ଚାଷୀ ।

ଆସାମ, ମେଘାଳୟ, ନାଗାଲାଣ୍ଡ ଭଳି ବାହାର ରାଜ୍ୟକୁ ରପ୍ତାନୀ ହେଉଛି ଘୁଷୁରି । ଏହା ଏକ ଲାଭଜନକ ବ୍ୟବସାୟ ହୋଇଥିବା ବେଳେ ଏମାନେ ବର୍ଷକୁ ଦୁଇଥର ଛୁଆ ଦେଇଥାଆନ୍ତି । ଖୁବ୍ କମ୍ ଦିନ ବ୍ୟବଧାନରେ ଏମାନେ ବଡ଼ ହୋଇଥାଆନ୍ତି । ଥରକେ ୧୦ରୁ ୧୫ଟି ଛୁଆ ଦେଇଥାଆନ୍ତି ଘୁଷୁରି । ଏହି ଫାର୍ମରୁ କେବଳ ବଡ଼ ଘୁଷୁରି ନୁହେଁ ନିକଟସ୍ଥ ଜିଲ୍ଲାରେ ହୋଇଥିବା ଫାର୍ମକୁ ଘୁଷୁରି ଛୁଆ ଯୋଗାଉଛନ୍ତି ଲିଟନ ।

ୟୁଟ୍ୟୁବରୁ ଘୁଷୁରି ଚାଷ ବିଷୟରେ ଜାଣିବା ପରେ ଏହି ଚାଷ ପ୍ରତି ମନ ବଳାଇଥିଲେ ଯୁବଚାଷୀ । ଯାହା ତାଙ୍କୁ ଏବେ ସ୍ୱାବଲମ୍ବୀ କରାଇପାରିଛି ।