ତେଲେଙ୍ଗାନାରୁ ଆସିଲା ଚକିତ କଲା ଭଳି ଖବର । ମାଲିକକୁ ମାରି ଥାନାରେ ବନ୍ଧା ପଡିଛି କୁକୁଡା ।

493

କନକ ବ୍ୟୁରୋ: ଥାନାରେ ଅଟକ ରହିଛି କୁକୁଡା । ଆଉ ତା ଗୋଡରେ ବନ୍ଧା ହୋଇଛି ଦଉଡି । ଏକଥାଟି ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ହେଲେ ଏହା ପଛର କାରଣ ଜାଣିଲେ ମଧ୍ୟ ଆପଣ ବିଶ୍ୱାସ କରିବେନି । ମାଲକାନଗିରି ଜିଲ୍ଲୀ ସୀମାନ୍ତ ତେଲେଙ୍ଗାନାର ଗୋଲାପାଲି ଅଂଚଳରେ ଗୋଟିଏ କୁକୁଡା ତା ମାଲିକକୁ ହତ୍ୟା କରି ଗିରଫ ହୋଇଛି । ଯାହାପରେ ପୋଲିସ ଗୋଟିଏ କୁକୁଡାକୁ ଆଣି ସପ୍ତାହେ ହେଲା ବାନ୍ଧିକି ରଖିଛି ।

ଅସଲ କଥା ହେଉଛି, ତେଲେଙ୍ଗାନାର ଗୋଲାପାଲି ଅଂଚଳର ଲାଥନୁରୁ ଗାଁର ଟି.ସତିଶ କୁକୁଡା ଲଢେଇ ପାଇଁ ନିଜ କୁକୁଡାକୁ ପ୍ରସ୍ତୁତ କରୁଥିଲେ । ଏଥିପାଇଁ ସେ ତା ଗୋଡରେ ଧାରୁଆ ଛୁରୀ ବାନ୍ଧି ଲଢେଇ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ହଠାତ୍ ଉତ୍କ୍ଷିପ୍ତ ହୋଇ ଆକ୍ରମଣ କରିଥିଲା କୁକୁଡା । ଯାହା ଫଳରେ ଛୁରିଟି ସତିଶଙ୍କ ତଳିପେଟରେ ଗଭୀର କ୍ଷତ ସୃଷ୍ଟିକରିଥିଲା । ପ୍ରବଳ ରକ୍ତସ୍ରାବ ଭିତରେ ସତିଶଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଜଣେ ନିୟମିତ କୁକୁଡା ଲଢେଇରେ ସାମିଲ ହେଉଥିବା ବ୍ୟକ୍ତି ଭାବେ ଟି ସତିଶଙ୍କ ସ୍ଥାନୀୟ ଅଂଚଳରେ ପରିଚୟ ରହିଛି । କିନ୍ତୁ ଏଥର ତାଙ୍କ ସଉକର ଏହି ଖେଳ ତାଙ୍କର ଜୀବନ ନେଇଛି । ଏହି ଘଟଣାପରେ ପୁଲିସ କୁକୁଡାକୁ ଅଟକ ରଖିଥିବା ବେଳେ ଆବଶ୍ୟକ ହେଲେ କୋର୍ଟରେ ହାଜର କରାଯିବ ବୋଲି ଗୋଲାପାଲି ଥାନା ଅଧିକାରୀ କହିଛନ୍ତି ।

ପୌଷ ପୂର୍ଣ୍ଣିମା ପରେ ତିନିମାସ ଧରି ଦକ୍ଷିଣ ଭାରତର ବିଭିନ୍ନ ଅଂଚଳରେ କୁକୁଡା ଲଢେଇ ପ୍ରତିଯୋଗିତା ସବୁ ଆୟୋଜିତ ହୋଇଥାଏ । ଏଥିରେ ବାଜି ଲାଗିବା ସହିତ ମଦମାଂସର ଆସର ବି ହୁଏ । କିନ୍ତୁ ୧୯୬୦ ମସିହାରୁ ଏଭଳି କୁକୁଡା ଲଢେଇକୁ ଭାରତ ସରକାର ନିଷେଧ କରିଛନ୍ତି । ତେବେ ଏବେ ବି ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଏହି ଲଢେଇ ଆୟୋଜିତ ହେଉଥିବା ଦେଖିବାକୁ ମିଳୁଛି ।