ବେସାହାରା ବାସନ୍ତୀ: ପାଇଖାନାରେ କଟୁଛି ଦିନରାତି; ସେଇଠି ଖାଉଛନ୍ତି, ସେଇଠି ଶୋଉଛନ୍ତି

367

କନକ ବ୍ୟୁରୋ: ସେଇଠି ଭାତ ହାଣ୍ଡି, ସେଇଠି ବାସନକୁସନ ଆଉ ସେଇଠି ବିତୁଛି ଜୀବନ । ରାତି ହେଉ ବା ଦିନ, ଖରା ହେଉ ବା ବର୍ଷା ଏଇ ପାଇଖାନା ହିଁ ବେସାହାର ବାସନ୍ତୀଙ୍କ ଏକମାତ୍ର ଭରସା…

ଥରେ ଭାବିଲେ ଯେଉଁଠି ଲୋକେ ଶୌଚ ପାଇଁ ଯାଆନ୍ତି ସେଠି କଣ ମଣିଷ ଶୋଇ ପାରିବ? କଡ ଭାଙ୍ଗି ହେଉନଥିବା ଏତିକି ଟିକେ ଜାଗାରେ କଣ ରାତିଦିନ କାଟିହେବ ? ହେଲେ ଜୀବନ ଯୁଦ୍ଧରେ ହାରି ଯାଇଥିବା ବେସାହାରା ବାସନ୍ତୀ ଏଇ ଟିକକ ଜାଗାରେ ଜୀବନ ବିତାଉଛନ୍ତି, ପ୍ରତି ମୁହୂର୍ତ୍ତରେ ପାଇଖାନା ଭିତରେ ସଙ୍ଘର୍ଷ କରୁଛନ୍ତି ।

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କନ୍ତିଓକାଟେଣି ଗାଁରେ ରୁହନ୍ତି ବାସନ୍ତି ଭୋଇ । ବାପାମାଆ ଆରପାରିକୁ ଚାଲିଯିବା ପରେ ଅବିବାହିତ ଥିବା ବାସନ୍ତୀ ଏକାଏକା ଜୀବନ ଜିଉଁଛନ୍ତି । ବାସନ୍ତୀଙ୍କ କୌଣସି ଭାଇଭଉଣୀ ନଥିବାରୁ ଦୁଃଖ କଷ୍ଟରେ ଓଳିଏ ଖାଇଲେ ଓଳିଏ ଉପାସ ରହି ଭଙ୍ଗା ଚାଳ ଘରେ ରାତି କାଟିଦେଉଥିଲେ ବାସନ୍ତୀ । ହେଲେ ଲଗାଣ ବର୍ଷାରେ ସେ ଘର ଖଣ୍ଡିକ ଭାଙ୍ଗି ଯିବା ପରେ ଏବେ ପାଇଖାନରେ ପାଲଟିଛି ବାସନ୍ତୀଙ୍କ ଘର ।

ସେପଟେ ମାସକୁ ୫ ଶହ ଟଙ୍କା ଭତ୍ତା ଆଉ ୫ କେଜି ଚାଉଳ ପାଇ କଷ୍ଟେମଷ୍ଟେ ଚଳୁଥିବା ବାସନ୍ତୀଙ୍କ ପାଇଁ ଆଉ ଥରେ ଘର କରିବା ଏକଦମ ଅସମ୍ଭବ । ବିଜୁ ପକ୍କା ଘର ଯୋଜନାରେ ଘର ଖଣ୍ଡେ ଯୋଗାଇ ଦେବାକୁ ବାସନ୍ତୀ ବିଭିନ୍ନ ସରକାରୀ ବାବୁଙ୍କୁ ଗୁହାରୀ ହେଲେ ବି ତାଲିକାରେ ନଥିବା କହି ଫେରାଇ ଦେଇଛନ୍ତି । ତେବେ ବାସନ୍ତୀଙ୍କ ବାବଦରେ ଜାଣିବା ପରେ ଖୋଦ ଜିଲ୍ଲାପାଳ ଏ ବିଷୟରେ ଧ୍ୟାନ ଦେବେ ବୋଲି କହିଛନ୍ତି ।