ଡଷ୍ଟବିନକୁ ଡେଇଁଲା ଭୋକ ମହାମାରୀ ନୁହେଁ ଭୋକ ମାରିବାକୁ ଅଳିଆଗଦାରେ ଅସହାୟ ବୃଦ୍ଧା । ଅଲୋଡ଼ା ଆବର୍ଜନାରୁ ଅଣ୍ଡାଳି ଅଣ୍ଡାଳି ଖାଇଲେ ପଚା ସଢ଼ା ଖାଦ୍ୟ, ଦେଶ ଦେଖିଲା ଗରିବ ପାଇଁ ବଦଳିଯାଇଥିବା ଭୋକର ଭୂଗଳ, ପ୍ରଶାସନର ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

363

କନକ ବ୍ୟୁରୋ: କୁହାଯାଏ, ଛବି କଥା କୁହେ । ଏଠି ତ’ କାହାଣୀ କହୁଛି । ଅଲୋଡ଼ା ଅଳିଆ ଗଦାରୁ ଆହାର ଅନ୍ୱେଷଣର କାହାଣୀ । ଭୋକ ଏଠି ଉପହାସ କରୁଛି । ମଣିଷର ଅସହାୟତାକୁ ନେଇ, ମଣିଷର ଅକ୍ଷମତାକୁ ନେଇ । ଭୋକିଲା ପେଟ ମଣିଷର ପାଦକୁ କେଉଁ ପର୍ଯ୍ୟନ୍ତ ଟାଣି ନେଇଯାଇପାରେ ସମ୍ବଲପୁରରୁ ଆସିଥିବା ଚିତ୍ର ହିଁ ବୟାନ କରୁଛି ।

ଭୋକର ଜ୍ୱାଳା ଯେତେବେଳେ ବେକାବୁ ହେଲା, ଅସହାୟ ବୃଦ୍ଧାର ପାଦ ବଢ଼ି ଯାଇଥିଲା ଅଲୋଡ଼ା ଅଳିଆ ଗଦାକୁ । ଖୁବ୍ ଦରାଣ୍ଡିଲା । ଆଉ ଶୁଣିଲା ମୁହଁରେ ଆଶା ସଂଚାର ହୋଇଥିଲା ଯେତେବେଳେ ବୃଦ୍ଧାଙ୍କ ହାତରେ ଲାଗିଥିଲା, ଅଧାପଚା ଗୋଟିଏ ଆମ୍ବ ଏବଂ ଫାଳେ ତରଭୁଜ ।

ବୟସ ଅଛି ନା’ ବଳ ଅଛି । ପରାଶ୍ରିତ ବୃଦ୍ଧାର ଆଶ ବି ଏବେ ମଉଳି ଯାଇଛି । କାରଣ, ଚାରିଆଡେ ତାଲା ଝୁଲୁଛି । କେଉଁଠି କି ଯିବ, କାହାକୁ ମାଗିବ । ଶେଷରେ ପାପୀ ପେଟ ପାଇଁ ମଣିଷ ଆଢୁଆଳରେ ରହି ଅଳିଆ ଗଦାରୁ ସାଉଁଟି ନେଇଛି ଭୋକର ଉପଚାର । ଖାଦ୍ୟ ଓ ସୁରକ୍ଷାର ତରାଜୁରେ ଖାଦ୍ୟ ସୁରକ୍ଷା ଆଇନକୁ ତଉଲୁ ଥିବା ବାବୁମାନେ ଏବଂ କେହି ଭୋକିଲା ରହିବେ ନାହିଁର ନାରା ଦେଉଥିବା ନେତାମାନଙ୍କ ଆଖିକୁ ଏଭଳି ଚିତ୍ର ସତରେ କ’ଣ ଆନ୍ଦୋଳିତ କରୁନାହିଁ?

-୨୦ ଲକ୍ଷ କୋଟିର ପ୍ୟାଜେଜ୍ ଭିତରେ ଇଏ ଅସହାୟମାନେ ଅଛନ୍ତି ତ?
-ଜନ୍ମରୁ ମୃତ୍ୟୁ ଯାଏଁ ଯୋଜନାର ପେଡ଼ିରେ ଏମାନଙ୍କ ପେଟ ପୁରୁଛି ତ?
-କରୋନା ଲଢ଼େଇ ପ୍ରଚାର ଓ ପ୍ରଶଂସା ଭିତରେ ନିଶ୍ରୟଙ୍କ କଥା ବୁଝୁଛି କିଏ?