ଆଗକୁ ଗଡୁନି ସଂସାରର ରଥ । ବିଦ୍ୟୁତ୍ ଆଘାତ ଲାଗି ଖଣ୍ଟରୁ ତଳକୁ ଖସି ପଡିଥିଲେ ଦେବବ୍ରତ । ୩ ବର୍ଷ ହେଲା ପଡି ରହିଛନ୍ତି ବିଛଣାରେ 

226

କନକ ବ୍ୟୁରୋ: ଏଞ୍ଜେନ କମ୍ପାନିରେ ଠିକା କର୍ମଚାରୀ ଭାବରେ କାମ କରୁଥଲେ କେନ୍ଦ୍ରାପଡା ରାଜକନିକା ବ୍ଲକ କୋଇଲିପୁର ଗାଁର ଦେବବ୍ରତ ରାଉତ । ସ୍ପଳ୍ପ ରୋଜଗାରରେ ହସ ଖୁସିରେ ଆଗକୁ ବଢୁଥିଲା ଦେବବ୍ରତଙ୍କ ସଂସାର ରଥ । ହେଲେ ହଠାତ୍ ସବୁ କିଛି ଓଲଟପାଲଟ ହୋଇଗଲା । ସଂସାର ରଥର ସାରଥୀ ଇଲେକ୍ଟ୍ରିକ୍ ଖୁଂଟିରେ ଚଢି କାମ କରୁଥିବା ବେଳେ ବିଦ୍ୟୁତ୍ ଆଘାତ ଲାଗି ତଳକୁ ପଡିଗଲେ । ପ୍ରାୟ ୩ ବର୍ଷ ହେଲା ଦେବବ୍ରତ ବିଛଣାରେ ପଡିଥିବା ବେଳେ ଆଉ ଆଗକୁ ଗଡୁନି ତାଙ୍କ ସଂସାରର ରଥ ।

ଟିକିଏ ଜ୍ୱର-ଥଣ୍ଡା ହେଲେ ଦିନ-ଦୁଇ ଦିନ ଖଟରେ ପଡିରହିଲେ, କେତେ ବ୍ୟସ୍ତ ଲାଗେ । କେମିତି ଜ୍ୱର ଭଲ ହେବ, କେତେବେଳେ ଏ ବିଛଣାରୁ ମଣିଷ ଉଠିବ, ବୋଲି ଭାବୁ ଥାଏ । ହେଲେ ଥରେ ଚିନ୍ତା କଲେ କୋଇଲିପୁର ଗାଁର ଦେବବ୍ରତ ରାଉତଙ୍କ କଥା । ଏଞ୍ଜେନ କମ୍ପାନିରେ ଠିକା କର୍ମଚାରୀ ଭାବରେ କାମ କରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ୩ ବର୍ଷ ହେଲା ବିଛଣାରେ ପଡି ଛଟପଟ ହେଉଛନ୍ତି । ସ୍ୱାମୀ ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କ ଚିକିତ୍ସା ବାବଦକୁ ସୁନା ଗହଣା ଓ ଜମି ବିକ୍ରି କରି ସାରିଛନ୍ତି ସ୍ତ୍ରୀ ଉତମା ରାଉତ ।

ଦେବବ୍ରତଙ୍କ ପରିବାର କହିଲେ, ସ୍ତ୍ରୀ, ୧୨ ବର୍ଷର ପୁଅ ଓ ୧୦ ବର୍ଷର ଝିଅ । ଏବେ ରୋଜଗାର କିଛି ନଥିବାରୁ ପରିବାର ଓଳିଏ ଖାଇଲେ ଓଳିଏ ଉପାସ ରହୁ ଥିବା ବେଳେ ଔଷଧ ଟିକେ ଖାଇବାକୁ ପାଉ ନାହାନ୍ତି ଦେବବ୍ରତ । ଗାଁ ଲୋକ ଓ ସାହି ପଡିଶା କିଛି ଦେଲେ ପରିବାର ଚୁଲି ଜଳୁଛି । ବିଦ୍ୟୁତ୍ ଆଘାତ ଲାଗିବାରୁ ଦେବବ୍ରତ ୯୦ ଭାଗ ଭିନ୍ନକ୍ଷମ ସାଟିଫିକେଟ ଥିଲେ ମଧ୍ୟ ସରକାରି ଭିନ୍ନକ୍ଷମ ଭତା ଟିଏ ମିଳିନାହିଁ ।

ବାପା ଯନ୍ତ୍ରଣାରେ ଛଟ ପଟ ହେଉଥିବା ବେଳେ ଝିଅର ଚିକିତ୍ସା ବି ଅଟକି ରହିଛି । ଝିଅର ଡାହାଣ ହାତ ବଙ୍କା ହୋଇଥିବାରୁ ଅପରେସନ ଆବଶ୍ୟକ ବୋଲି ଡାକ୍ତର କହୁଛନ୍ତି, ହେଲେ ଖାଇବାକୁ ଦୁଇ ଓଳି ମିଳୁନଥିବା ବେଳେ ଝିଅ ଚିକିତ୍ସା କଥା ଚିନ୍ତା କରି ପାରୁନାହିଁ ଦେବବ୍ରତଙ୍କ ଅଭାବୀ ପରିବାର ।