ସମ୍ବେଦନହୀନତାର ସବୁ ସୀମା ଟପିଗଲେ ହସ୍ପିଟାଲ କର୍ତୃପକ୍ଷ : ସୁରଟ ପ୍ରିୟା ହସ୍ପିଟାଲରେ ପ୍ରବାସୀ ଓଡିଆଙ୍କ ଦେହାନ୍ତ ପରେ ରାସ୍ତାରେ ରଖିଦେଇ ଗଲେ ଶବ

୮୫ ହଜାର ଟଙ୍କା ଚିକିତ୍ସା ପାଉଣା ଦେଇନପାରିବାରୁ ଭୁଲିଗଲେ ମାନବିକତା

200

କନକ ବ୍ୟୁରୋ : ଏକ ଏଭଳି ଦୃଶ୍ୟ…ଯାହା ଆପଣଙ୍କୁ ବିଚଳିତ କରିଦେବ । ଏହି ଦୃଶ୍ୟ ପ୍ରବାସୀ ଓଡିଆଙ୍କ ଦୁର୍ଦ୍ଦଶାକୁ ବୟାନ କରୁଛି । ହୃଦୟ ବିଦାରକ ଦୃଶ୍ୟ । ସିସିଟିଭିରେ କଏଦ ହୋଇଛି କିଭଳି ଏକ ମୃତଦେହକୁ ଆଣି ରାସ୍ତା ଉପରେ ରଖି ଦିଆଯାଉଛି । ଜଣେ ପ୍ରବାସୀ ଓଡିଆଙ୍କ ମୃତଦେକୁ ରାସ୍ତା ଉପରେ ରଖିଦେଇ ଯାଉଛନ୍ତି ହସ୍ପିଟାଲ କର୍ମଚାରୀ ।

ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ମଙ୍ଗଳପୁର ଗାଁର ଭଗବାନ ନାୟକ ଦୀର୍ଘଦିନ ହେଲା ସୁରଟରେ ରହୁଥିଲେ । କିଛିଦିନ ତଳେ ତାଙ୍କର ଦେହ ଅସୁସ୍ଥ ହେବାରୁ ଏକ ଘରୋଇ କ୍ଲିନିକରେ ଦେଖାଇବା ପରେ, ପାଣ୍ଡେସରା ପୋଲିସ କଲୋନୀ ନିକଟ ପ୍ରିୟା ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତି କରାଯାଇଥିଲା । ଚିକିତ୍ସା ପାଇଁ ହସ୍ପିଟାଲ ୨୫ ହଜାର ଟଙ୍କା ଦାବି କରିବାରୁ ଧାର ଉଧାର କରି ଜମା କରିଥିଲେ ସଂପର୍କୀୟ । ହେଲେ ଏପ୍ରିଲ ୩୦ ତାରିଖରେ ତାଙ୍କର ଦେହାନ୍ତ ହୋଇଗଲା ।

ଆଉ ମୃତଦେହ ହସ୍ତାନ୍ତର କରିବା ଲାଗି ବାକି ୮୫ ହଜାର ଚିକିତ୍ସା ଖର୍ଚ୍ଚ ଦାବି କରିଥିଲା ହସ୍ପିଟାଲ । ଟଙ୍କା ଦେଇନପାରିବାରୁ ଶବ ହସ୍ତାନ୍ତର କରିନଥିଲା ହସ୍ପିଟାଲ । ପରେ ବିଳମ୍ବିତ ରାତି ପ୍ରାୟ ସାଢେ ଗୋଟାଏରେ କିଛି ହସ୍ପିଟାଲ କର୍ମଚାରୀ ମୃତଦେହକୁ ଆଣି ହସ୍ପିଟାଲ ବାହାରେ ରାସ୍ତା ଉପରେ ରଖିଦେଇ ଚାଲିଯାଇଥିଲେ । ଏପିରିକି ଅନ୍ତିମ ସଂସ୍କାର ପାଇଁ କୌଣସି କାଗଜପତ୍ର ଦେଇନଥିଲେ । ପରେ ପ୍ରବାସୀ ଓଡିଆ ସମାଜ ଟ୍ରଷ୍ଟର ହସ୍ତକ୍ଷେପ କରିବାରୁ ଭଗବାନଙ୍କ ଅନ୍ତିମ ସଂସ୍କାର ହୋଇଥିଲା ।