ସିନ୍ଦୂର ପିନ୍ଧି ଶାଶୁଘରକୁ ଯିବା ବଦଳରେ ଶ୍ମଶାନ ଗଲା କନ୍ୟାର ଶବ । ବିଦାୟୀ ବେଳେ କାନ୍ଦି କାନ୍ଦି ହୋଇଗଲା ହୃଦଘାତ, ଚାଲିଗଲା ଜୀବନ ।

429

କନକ ବ୍ୟୁରୋ: ସ୍ୱପ୍ନ ଭାଙ୍ଗିଗଲା, ଆଶା ମରିଗଲା, ସିନ୍ଦୂର ପିନ୍ଧି ପ୍ରିୟା ମୋର ପରପାରିକୁ ଚାଲିଗଲା । ନା ସଂସାର ଆଗେଇଲା, ନା ସାଙ୍ଗରେ ରହିଲା… ନୂଆ ସମ୍ପର୍କଟେ ଆରମ୍ଭ ହେଉ ହେଉ ଶେଷ ହୋଇଗଲା । ହାତଗଣ୍ଠି ପଡିବାର କେଇ ମୁହୂର୍ତ୍ତ ପରେ ହାତଛାଡି ଚାଲିଗଲା, ବେଦୀରୁ ଉଠିବା ପରେ ହିଁ ସବୁଦିନ ପାଇଁ ବିଦାୟ ନେଇଗଲା… ଆଖି ଆଗରେ ଜୀବନସାଥୀର ମୃତ୍ୟୁ ପରେ ଏବେ କେମିତି ଜିଇଁବ ଆଉ ଗୋଟେ ଜୀବନ ? ଏକାଏକା କେମିତି ବଞ୍ଚିବ, ମନକୁ କଣ କହି ବୁଝେଇବ ବାକଶୂନ୍ୟ ପାଲଟିଥିବା ବର… ବାହାଘର ବିଦାୟୀ ବେଳେ କନ୍ୟା ହୃଦଘାତରେ ପ୍ରାଣ ହରାଇବା ଖବର ଖାଲି ସୁବର୍ଣ୍ଣପୁର ନୁହେଁ ସାରା ଓଡିଶାକୁ ସ୍ତବ୍ଧ କରିଦେଇଛି ।

ବାହାଘର ବିଦାୟୀ ବେଳେ ବିନିକା ବ୍ଲକ ଯୁଲୁଣ୍ଡା ଗାଁରେ ଘଟିଛି ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ଝିଅ ବିଦା ବେଳେ କାନ୍ଦି କାନ୍ଦି ଅଚେତ ହୋଇଗଲେ କନ୍ୟା, ଆଉ ଦାଣ୍ଡ ଦୁଆରେ ହୃଦଘାତରେ ଚାଲିଗଲା ଜୀବନ । ବାହାଘର ପରେ ସ୍ୱାମୀଙ୍କ ସହ ଶାଶୁଘରକୁ ଯିବା ବଦଳରେ ଶ୍ମଶାନକୁ ଗଲା କନ୍ୟାର ଶବ ।

ଯୁୁଲୁଣ୍ଡା ଗାଁର ରୋଜିଙ୍କ ସହ ବଲାଙ୍ଗୀର ତେତେଲ ଗାଁର ବିଶିକେସନଙ୍କ ବାହାଘର ହୋଇଥିଲା । ରାତିରେ ବରଯାତ୍ରୀ ନେଇ ବର ଆସିଥିଲା । ଭୋଜି ଭାତ ସହ ବାହାଘର ପାଇଁ ସମସ୍ତେ ଖୁସି ବି ଥିଲେ । ବାପାଙ୍କ ମୃତ୍ୟୁ ପରେ ମାମୁ ଖୁବ୍ ଆଡମ୍ବରରେ ବାହାଘର କରିଥିଲେ । ସେପଟେ ନୂଆ ଜୀବନସାଥୀ ଅପେକ୍ଷାରେ ଥିଲେ ରୋଜି । ହେଲେ ରୋଜିଙ୍କ ସେ ଅପେକ୍ଷାର ଅନ୍ତ ହେଲା ସତ, କିନ୍ତୁ ବାହା ହୋଇ ବିଶିକେସନଙ୍କ ହାତ ଧରି ଶାଶୁଘରକୁ ଯିବା ସ୍ୱପ୍ନ ସତ ହୋଇପାରିଲାନି । ଶାଶୁଘର ଯିବା ବଦଳରେ ମଶାଣୀକୁ ଗଲା ମୃତଦେହ ।

ତେବେ ବରଙ୍କ ସହ ଗାଡିରେ ବସିବା ବେଳେ କାନ୍ଦି କାନ୍ଦି ତଳେ ପଡି ଯାଇଥିଲେ ରୋଜି । କିଛି ସମୟ ଯାଏଁ ତାଙ୍କ ଚେତା ଫେରିନଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାସ୍ ସେଇଠି ହିଁ ସମାଧି ନେଇଥିଲା ଗୋଟେ ନୂଆ ସମ୍ପର୍କ । ସିନ୍ଦୂର ପିନ୍ଧି, ସଧବା ସାଜି ଶେଷଯାତ୍ରା କରିଥିଲେ ରୋଜି । ଏ ହୃଦୟ ବିଦାରକ ଘଟଣା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି, ଆଉ ପୂରା ଗାଁ ସ୍ତବ୍ଧ ପାଲଟିଯାଇଛି । ହୋମନିଆକୁ ସାକ୍ଷୀ ରଖି ସାତ ଜନମର ସାଥୀ ହେବା ପରେ, ସାମୀ ହାତରୁ ମଥାରେ ସିନ୍ଦୂର ପିନ୍ଧିବା ପରେ ହୃଦଘାତ ଗୋଟେ ସମ୍ପର୍କକୁ ସମାଧି ଦେଇଛି…