ଗର୍ଭବତୀ ଥିବା ମହିଳାଙ୍କ ମୁଣ୍ଡରେ ହେଲମେଟ୍ ନଥିଲା ବୋଲି ସ୍ୱାମୀ-ସ୍ତ୍ରୀଙ୍କୁ ୪ ଘଣ୍ଟା ଥାନାରେ ଅଟକ ଅଭିଯୋଗ । ପୋଲିସର ମାନବିକତାକୁ ନେଇ ଉଠିଲା ପ୍ରଶ୍ନ । 

221
କନକ ବ୍ୟୁରୋ: ସ୍ତ୍ରୀ ମୁଣ୍ଡରେ ହେଲମେଟ ନଥିବାରୁ ସ୍ୱାମୀକୁ ପୋଲିସ ୪ ଘଂଟା ଥାନାରେ ଅଟକ ରଖିଥିବା ଅଭିଯୋଗ ହୋଇଛି । ଏପରିକି ସ୍ତ୍ରୀକୁ ରାସ୍ତାରେ ଛାଡି ସ୍ୱାମୀଙ୍କୁ ଥାନାକୁ ନେଇଯାଇଥିଲା ପୋଲିସ । ଫଳରେ ପ୍ରାୟ ୩ କିଲୋମିଟର ଚାଲିଚାଲି ଯାଇଥିଲେ ଗର୍ଭବତୀ ଥିବା ସ୍ତ୍ରୀ ଜଣକ । ଯାହାକୁ ନେଇ ଏବେ ପୋଲିସର ମାନବିକତାକୁ ନେଇ ପ୍ରଶ୍ନ ଉଠିଛି ।
ସୂଚନା ମୁତାବକ ମୟୂରଭଞ୍ଜ ଶରତ ଥାନା ଅଂଚଳରେ ହେଲମେଟ ଚେକିଂ ଚାଲିଥିିବାବେଳେ ସ୍ଥାନୀୟ ନୋଟ ପଂଚାୟତର ବିକ୍ରମ ବୁରୁଲି ନିଜ ୮ ମାସର ଗର୍ଭବତୀ ସ୍ତ୍ରୀଙ୍କୁ ସାଙ୍ଗରେ ଧରି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ନେଉଥିଲେ । ସ୍ୱାମୀଙ୍କ ମୁଣ୍ଡରେ ହେଲମେଟ ଓ ମୁହଁରେ ମାକ୍ସ ଥିଲା । ହେଲେ ସ୍ତ୍ରୀଙ୍କ ମୁହଁରେ ମାକ୍ସ ଥିଲେ ମଧ୍ୟ ମୁଣ୍ଡରେ ହଲମେଟ ନଥିଲା । ପୋଲିସ ତାଙ୍କୁ ଧରି ଫାଇନ କାଟିବା ପରେ ପାଖରେ ପଇସା ନଥିବାରୁ ସେ ଅନଲାଇନରେ ପୈଠ କରିଦେବେ ବୋଲି ଅନୁରୋଧ କରିଥିଲେ । ଏଥିରେ ପୋଲିସ ରାଜି ହୋଇନଥିଲା ଆଉ ତାଙ୍କୁ ସେଠାରୁ ଥାନାକୁ ନେଇ ଯାଇଥିଲା । ସ୍ତ୍ରୀ ଗର୍ଭବତୀ ଥିବା ଜାଣିସୁଦ୍ଧା ତାଙ୍କୁ ସେଠାରେ ଛାଡି ଚାଲିଯାଇଥିଲା ପୋଲିସ । ପରେ ସେ ୩ କିଲୋମିଟର ଚାଲିଚାଲି ଯାଇଥିଲେ । ଏନେଇ ଉଭୟ ଏସଡିିପିଓଙ୍କୁ ଲିଖିତ ଭାବେ ଜଣାଇବା ସହ ସଂପୃକ୍ତ ପୋଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।