କନକ ବ୍ୟୁରୋ: ବାୟୁରେ ବଢୁଛି ବିଷ । ଆଉ ଲୋକଙ୍କ କମୁଛି ଆୟୁଷ । ଜଳବାୟୁ ପରିବର୍ତ୍ତନ ଓ ପ୍ରଦୂଷଣ ପାଇଁ ଓଜନ ସ୍ତରରେ ପ୍ରଦୂଷଣ ବଢୁଛି । ଆମେରିକାରେ କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପ୍ରଦୂଷଣ ପାଇଁ ଦେଶରେ ୧୬ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁ ହେଉଛି ।

Advertisment
  • ଚିନ୍ତା ବଢାଉଛି ଓଜନସ୍ତର ପ୍ରଦୂଷଣ
  • ଆକାଳରେ ଯାଉଛି ଲକ୍ଷାଧିକ ଜୀବନ

ଦିନକୁ ଦିନ ବଢିଚାଲିଛି ଜନସଂଖ୍ୟା । ଜନସଂଖ୍ୟା ବଢିବା ଦୌଡରେ ଚାଇନାକୁ ଟପି ଭାରତ ଏକ ନମ୍ବର ହୋଇସାରିଛି । ଜନସଂଖ୍ୟା ବଢିବା ସାଙ୍ଗକୁ ଲୋକଙ୍କ ଚାହିଦା ବି ବଢିବାରେ ଲାଗିଛି । ଦିନ ଥିଲା ଘର ପିଛା ଗୋଟିଏ ଗାଡି ଥିବାବେଳେ ଏବେ ଜଣକ ପିଛା ଗୋଟିଏ ଗାଡି । ରାସ୍ତାରେ ବଢି ଚାଲିଛି ଗାଡି ସଂଖ୍ୟା । ଆଉ ତା’ ସହ ବଢିଚାଲିଛି ଯାନବାହନ ପ୍ରଦୂଷଣ । ସେହିପରି ବିଦ୍ୟୁତ୍ ଉପକରଣର ବ୍ୟବହାର ବଢ଼ିବା ଯୋଗୁଁ ଗ୍ରାହକଙ୍କ ଚାହିଦା ମେଂଟାଇବା ପାଇଁ ବିଦ୍ୟୁତ ଉତ୍ପାଦନର କ୍ଷମତା ବଢ଼ାଇବାକୁ ପଡ଼ୁଛି । ଆଉ ଏଥିପାଇଁ ତାପଜ ବିଦ୍ୟୁତ କେନ୍ଦ୍ରର କ୍ଷମତା ବଢ଼ୁଛି । ଯେଉଁଥିରେ ଫୋସିଲ୍ ଫଏଲ୍ ବା’ ଜୀବାସ୍ମ ଇନ୍ଧନର ବ୍ୟବହାର ପ୍ରଦୂଷଣର ମାତ୍ରା ବଢ଼ାଉଛି । ଏବଂ ଏହି ପ୍ରଦୂଷଣ ମଣିଷକୁ ମୃତ୍ୟୁ ଆଡ଼କୁ ଟାଣି ନେଉଛି ।

ଜଳବାୟୁ ପରିବର୍ତନ ଓ ପ୍ରଦୂଷଣ ପାଇଁ ବାୟୁମଣ୍ଡଳରେ ଥିବା ଓଜୋନ ସ୍ତରର ପ୍ରଦୁଷଣ ମାତ୍ରା ବଢିବାରେ ଲାଗିଛି । ଆମେରିକାର ୟେଲ ସ୍କୁଲ ଅଫ ପବ୍ଲିକ ହେଲ୍ଥ ପକ୍ଷରୁ କରାଯାଇଥିବା ଅଧ୍ୟୟନରୁ ଜଣାପଡିଛି ଯେ ଭାରତରେ ପ୍ରତିବର୍ଷ ୧୬ ଲକ୍ଷ ଲୋକଙ୍କର ହେଉଛି ଅକାଳ ମୃତ୍ୟୁ । ଭାରତ ପରେ ଚୀନରେ ଏହି କାରଣ ପାଇଁ ଅଧିକ ଲୋକଙ୍କ ଜୀବନ ଯାଉଛି । ଜନସଂଖ୍ୟା ବୃଦ୍ଧି ଓ ଏଥିପାଇଁ ବଢିଥିବା ପ୍ରଦୁଷଣ ସାଜିଛି ମୃତ୍ୟୁର କାରଣ ।

ଅଧ୍ୟୟନ ଅନୁଯାୟୀ ୨୦୧୯ରେ ଓଜୋନ ସ୍ତର ପ୍ରଦୂଷଣ ଯୋଗୁଁ ବିଶ୍ୱରେ ୩ ଲକ୍ଷ ୬୫ ହଜାର ଲୋକଙ୍କ ଜୀବନ ଯାଇଥିଲା । ଏଥିରେ ଅନେକ ସିଓପିଡି(କ୍ରୋନିକ ଅବଷ୍ଟ୍ରକଟିଭ ପଲମୋନରି ଡିଜିଜ୍)ରେ ପୀଡ଼ିତ ହୋଇ ମୃତ୍ୟୁବରଣ କରିଥିଲେ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ ସିଓପିଡି ଫୁସଫୁସ ଜନୀତ ରୋଗ । ଓଜୋନ ସ୍ତରର ପ୍ରଦୂଷଣ ସଂସ୍ପର୍ଶରେ ଆସିଲେ ସିଓପିଡିର ବିପଦ ଆହୁରି ବଢିବାରେ ଲାଗିଛି । ଶ୍ୱାସଜନୀତ ସମସ୍ୟା ବଢିଯାଏ ବୋଲି ବରିଷ୍ଠ ଚିକିତ୍ସକ କହିଛନ୍ତି ।