କନକ ବ୍ୟୁରୋ : ପଶ୍ଚିମବଙ୍ଗର ଦୁର୍ଗାପୁର ଅଞ୍ଚଳରେ ଅଭାବନୀୟ ସ୍ଥିତି ଦେଖିବାକୁ ମିଳିଛି । ଦୁର୍ଗା ବିସର୍ଜନ କରି ଫେରୁଥିବା ବେଳେ କିଛି ଅସାମାଜିକ ବ୍ୟକ୍ତି ଅଚାନକ ଆକ୍ରମଣ କରିଛନ୍ତି । ଶୋଭାଯାତ୍ରାରେ ଯାଇଥିବା ଲୋକଙ୍କ ଉପରେ ବମ୍ ପକାଇବା ସହ ଗାଡିକୁ ଭଙ୍ଗାରୁଜା କରିଛନ୍ତି ଗୁଣ୍ଡା ଶ୍ରେଣୀର ବ୍ୟକ୍ତି । ଆକ୍ରମଣରେ ୬ ଜଣ ଲୋକ ଗୁରୁତର ଆହତ ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ବଢିଥିବା ବେଳେ ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଖୋଜୁଛି ।

Advertisment

ମିଳିଥିବା ସୂଚନା ମୁତାବକ, ଦୁର୍ଗାପୁର ଅନ୍ନପୂର୍ଣ୍ଣାନଗର ଅଞ୍ଚଳରେ ଶନିବାର ସନ୍ଧ୍ୟାରେ ମା’ ଦୁର୍ଗାଙ୍କ ବିସର୍ଜନ କରି ଫେରୁଥିବା ବେଳେ କିଛି ଗୁଣ୍ଡା ଶ୍ରେଣୀର ଯୁବକ ଆକ୍ରମଣ କରିବା ସହ ଗାଡିକୁ ଭଙ୍ଗାରୁଜା କରିଥିଲେ । ଆକ୍ରମଣର ଶିକାର ହୋଇଥିବା ଲୋକଙ୍କ କହିବା ଅନୁଯାୟୀ, ଏହି ଗୁଣ୍ଡା ଶ୍ରେଣୀର ଯୁବକମାନେ ପ୍ରଥମେ ମଦ ପିଇବାକୁ ଟଙ୍କା ମାଗୁଥିଲେ । କିନ୍ତୁ ସେମାନଙ୍କୁ ଟଙ୍କା ନଦେବାରୁ ବିସର୍ଜନରୁ ଫେରୁଥିବା ବେଳେ ଆକ୍ରମଣ କରିଥଲେ ଏହି ଯୁବକମାନେ । ଏପରିକି ଉକ୍ତ ଯୁବକମାନେ ମନ୍ଦିର ଭଙ୍ଗାରୁଜା କରିଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ଆକ୍ରମଣର ଶିକାର ହୋଇଥିବା ଯୁବକ ।

ଘଟଣାସ୍ଥଳରେ ପୋଲିସ ଅଧିକାରୀ ପହଞ୍ଚିବା ସହ ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ନ ଉପୁଜେ ତାହା ଉପରେ ନଜର ରଖିଛନ୍ତି । ଆକ୍ରମଣରେ କିଛି ଲୋକ ଆହତ ହୋଇଥିବା ବେଳେ ଆକ୍ରମଣକାରୀଙ୍କୁ ପୋଲିସ ଖୋଜୁଥିବା କହିଛନ୍ତି ଏସିପି ଧ୍ରୁବଜ୍ୟୋତି ମୁଖାର୍ଜୀ ।