କନକ ବ୍ୟୁରୋ: ଦୀପ ଉତ୍ସବ ପାଇଁ ସଜେଇ ହେଉଛି ଅଯୋଧ୍ୟା । ଚଳିତ ବର୍ଷ ଦୀପାବଳିରେ ୧୭ଲକ୍ଷ ଦୀପ ଜଳାଇବାକୁ ପ୍ରସ୍ତୁତି କରାଯାଇଛି । ଆଜି ସନ୍ଧ୍ୟାରେ ଦୀପ ଆଲୁଅରେ ଆଲୋକିତ ହେବ ଅଯୋଧ୍ୟାର ୪୦ଟି ଘାଟ । ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିରାଜମାନ ଭଗବାନ ଶ୍ରୀରାମ ଲାଲାଙ୍କ ଦର୍ଶନ କରିବା ସହ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରିବେ ପ୍ରଧାନମନ୍ତ୍ରୀ । ଏହାସହ ଭଗବାନ ଶ୍ରୀରାମଙ୍କ ପ୍ରତିକାତ୍ମକ ରାଜ୍ୟାଭିଷେକ କରିବେ । ଏହାପରେ ଦୀପୋତ୍ସବର ଆରମ୍ଭ କରିବେ ପ୍ରଧାନମନ୍ତ୍ରୀ ।
ସରଜୁ ନଦୀର ନୂଆ ଘାଟରେ ଥ୍ରୀ-ଡି ହୋଲୋଗ୍ରାଫିକ ପ୍ରୋଜେକ୍ସନ ମ୍ୟାପିଂ ଶୋ’ ମଧ୍ୟରେ ମୋଦୀ ଆଳତି ଦର୍ଶନ କରିବେ । ଗତବର୍ଷ ୩୨ଟି ଘାଟରେ ଦୀପ ଲଗାଯାଇଥିବା ବେଳେ ଚଳିତବର୍ଷ ୪୦ଟି ଘାଟରେ ଦୀପ ଲଗାଇବା ପାଇଁ ପ୍ରସ୍ତୁତି ଚାଲିଛି । ୧୭ଲକ୍ଷ ଦୀପ ଜଳାଇବାକୁ ୩୫ହଜାର ଲିଟର ସୋରିଷ ତେଳ ବ୍ୟବହାର କରାଯିବ । ଏହି କାମରେ ନିୟୋଜିତ ହେବେ ୨୨ହଜାର ସ୍ୱେଚ୍ଛାସେବୀ । ଏହାସହ ଯୋଡି ହେବ ଏକ ନୂଆ ଅଧ୍ୟାୟ । ୧୭ଲକ୍ଷ ଦୀପ ଜାଳି ସୃଷ୍ଟି କରାଯିବ ନୂଆ ବିଶ୍ୱ ରେକର୍ଡ । ଦୀପାବଳି ପାଇଁ ସ୍ୱତନ୍ତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ ସହ ରାମଙ୍କ ଉପରେ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ’ର ମଧ୍ୟ ଆୟୋଜନ କରାଯାଇଛି । ଅଯୋଧ୍ୟାର ବିଭିନ୍ନ ସ୍ଥାନରେ କଳାକାରଙ୍କ ଦ୍ୱାରା ଲୋକ ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିବ ।
Follow Us