ସମ୍ଭାବ୍ୟ ବାତ୍ୟା ପାଇଁ କୋରାପୁଟରେ ସରକାରୀ ଅଫିସରଙ୍କ ଛୁଟି ୩ ଦିନ ପାଇଁ ବାତିଲ ।

284

କନକ ବ୍ୟୁରୋ: ବାତ୍ୟା ପାଇଁ ବାତିଲ ହେଲା ସରକାରୀ ଅଫିସରଙ୍କ ଛୁଟି । ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ କୋରାପୁଟରେ ସମସ୍ତ ସରକାରୀ ଅଫିସରଙ୍କୁ ଛୁଟିକୁ ବାତିଲ କରିଦିଆଯାଇଛି । ମୋଟ ୩ ଦିନ ପାଇଁ ଏହି ଛୁଟି ବାତିଲ କରାଯାଇଛି । ଆସନ୍ତା ୩ରୁ ୫ ତାରିଖ ଭିତରେ କୋରାପୁଟ ଜିଲ୍ଲାର କୌଣସି ସରକାରୀ କର୍ମଚାରୀ ଛୁଟି ନେଇପାରିବେନି ବୋଲି କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି । ବର୍ତ୍ତମାନ ଏହା ଗୋପାଳପୁରଠାରୁ ୧୦୨୦ କିଲୋମିଟର ଓ ପାରାଦ୍ୱୀପ ଠାରୁ ୧୦୬୯ କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି ସୁଦ୍ଧା ଏହା କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟାର ରୂପ ନେଇପାରେ । ଶନିବାର ସକାଳେ ଏହା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଓଡିଶା ଉପକୂଳରେ ପହଞ୍ଚିବା ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ଉତ୍ତର- ଉତ୍ତର ପୂର୍ବ ଦିଗକୁ ଗତି କରି ଉପକୂଳ ସହିତ ସମାନ୍ତରାଳ ଭାବେ ଗତି କରିବ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ କେଉଁ ସ୍ଥାନରେ ବାତ୍ୟା ସ୍ଥଳଭାଗ ଛୁଇଁବ, ଏ ପର୍ଯ୍ୟନ୍ତ ପାଣିପାଗ ବିଭାଗ ସ୍ପଷ୍ଟ ଚିତ୍ର ଦେଇ ପାରିନାହିଁ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ସେ କହିଛନ୍ତି, ବାତ୍ୟା ରି-କର୍ଭ ବା ଦିଗ ବଦଳାଇବା ପରେ ଏହା ସ୍ପଷ୍ଟ ହେବ । ୪ ତାରିଖରେ ଉତ୍ତର ଓ ଉତ୍ତର-ପୂର୍ବ ଦିଗକୁ ରିକର୍ଭ କରିବା ସମ୍ଭାବନା ରହିଛି । ତେବେ କେଉଁ ସ୍ଥାନରୁ ରିକର୍ଭ କରିବ, କେଉଁ ଜାଗାରେ ସ୍ଥଳ ଭାଗ ଛୁଇଁବ ଏ ନେଇ ସ୍ପଷ୍ଟ ସୂଚନା ମିଳିନାହିଁ । ବାତ୍ୟାର ରୂପ ନେବା ପରେ ଏହାର ପ୍ରଭାବ ଓଡ଼ିଶା ଓ ଆନ୍ଧ୍ର ଉପକୂଳରେ ପଡିବ । ବର୍ଷା ହେବ ଓ ପବନର ବେଗ ବଢ଼ିବ ବୋଲି କହିଛନ୍ତି ଏସଆରସି ପ୍ରଦୀପ ଜେନା ।

୪ ତାରିଖରେ ଗଞ୍ଜାମ, ଗଜପତି, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ଆକଳନ କରାଯାଇଛି । ଦକ୍ଷିଣ ଓଡ଼ିଶାରେ ଅଧିକ ପ୍ରଭାବ ପଡ଼ିବା ଆଶଙ୍କା ଥିବାରୁ ମୋଟ ୨୬୬ଟି ଟିମକୁ ପ୍ରସ୍ତୁତ ରଖାଯାଇଛି । ତଳୁଆ ଅଞ୍ଚଳରେ କଚ୍ଚା ଘରେ ଥିବା ଲୋକଙ୍କୁ ବାତ୍ୟା ଆଶ୍ରୟ ସ୍ଥଳକୁ ନେବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଶକ୍ତି ବିଭାଗକୁ ସଜାଗ ରହିବାକୁ କୁହାଯାଇଛି ।