କୋରାପୁଟରରେ ଲାଇନଚ୍ୟୁତ ହେଲା ମାଲବୋଝେଇ ଟ୍ରେନ : ଲୁହାପଥର ନେଇ ବିଶାଖାପାଟଣା ଯାଉଥିବାବେଳେ ଦୁର୍ଘଟଣା; ଟ୍ରାକରୁ ଖସିଲା ୧୩ ବଗି

56

କନକ ବ୍ୟୁରୋ : ମାଲବାହୀ ଟ୍ରେନ ଲାଇନଚ୍ୟୁତ । କୋରାପୁଟରେ ଘଟିଛି ଏହି ଦୁର୍ଘଟଣା । ଲୁହାପଥର ବୋଝେଇ କରି ମାଲବାହୀ ଟ୍ରେନ କିରଣ୍ଡୁଲୁରୁ ବିଶାଖାପାଟଣା ଯାଉଥିଲା । ଏହି ସମୟରେ କରଟି ନିକଟରେ ୧୩ ବଗି ଲାଇନଚ୍ୟୁତ ହୋଇଛି । କୋରାପୁଟରୁ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଂଚି ଉଧାର କାମ ଜାରି ରଖିଛନ୍ତି । ଜଗଦଲପୁର-କୋରାପୁଟ ମଧ୍ୟରେ ରେଳ ଚଳାଚଳ ବନ୍ଦ ରହିଛି ।

ପ୍ରାପ୍ତ ସୂଚନା ଅନୁସାରେ, ମାଲବାହୀ ଟ୍ରେନ୍‌ କେଭିଏଫ୍‌/୫୦ ମାଲ୍‌ ନେଇ କିରଣ୍ଡଲ୍‌ରୁ ବିଶାଖାପାଟଣା ଯାଉଥିବା ବେଳେ ପାହାନ୍ତା ପ୍ରାୟ ୪.୩୦ ମିନିଟ୍‌ରେ ଧାରଣାଚ୍ୟୁତ ହୋଇଥିଲା । ଧାରଣାଚ୍ୟୁତ ହେବା ଯୋଗୁଁ ଟ୍ରେନ୍‌ର ୧୩ଟି ଓ୍ଵାଗନ୍‌ ପ୍ରଭାବିତ ହୋଇଛି । ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି ।

କେବଳ ରେଳ ଧାରଣା ନଷ୍ଟ ହୋଇଥିବାରୁ ଘଟଣାସ୍ଥଳରେ ମରାମତି କାର୍ଯ୍ୟ ଯୁଦ୍ଧକାଳୀନଭିତ୍ତିରେ ଆଗେଇ ଚାଲିଛି । ୨୪ ଘଣ୍ଟା ମଧ୍ୟରେ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ବୋଲି ରେଳବାଇ ଅଧିକାରୀମାନେ କହିଛନ୍ତି । ଏହି ମାଲ୍‌ବାହୀ ଟ୍ରେନ୍‌ ପଛେ ପଛେ ଆସୁଥିବା ବିଶାଖାପାଟଣା କିରଣ୍ଡୁଲ୍‌ ଏକ୍ସ୍‍ପ୍ରେସ୍‌ ଟ୍ରେନ୍‌ ସମ୍ପ୍ରତି କୋରାପୁଟରୁ ଫେରିଯାଇଛି ।